ନବରଙ୍ଗପୁର:ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ । ଯେଉଁଠି ମୁଦ୍ରା ଲୋନ କରାଇବା ନାମରେ ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ର କର୍ମଚାରୀଙ୍କ ବିରୁଦ୍ଧରେ ଶାଖା ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀ । ଲିଖିତ ଅଭିଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହି ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ନୂଆପାରା ଗ୍ରାମର ସୁନ୍ତୀଳା ଗଣ୍ଡ । ଦିନ ମଜୁରିଆ କାମ କରି ନିଜ ପରିବାର ପୋଷଣ କରନ୍ତି । ନିଜ ଚାଷ ଜମି ପାଇଁ ବିହନ ଓ ସାର କିଣିବା ଆଶା ନେଇ ଉମରକୋଟ ଚିକଲପଦର ସ୍ଥିତ ବ୍ୟଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ରରେ କର୍ମଚାରୀ ପୁନିନ୍ଦ୍ର ହାଜ୍ରାଙ୍କ ପ୍ରଲୋଭନରେ ପଡ଼ି ମୁଦ୍ରା ଲୋନ ପାଇଁ ଆବେଦନ କରିଥିଲେ । ଜଣଙ୍କ ପିଛା ୫୦ ହଜାର ଟଙ୍କା ମୁଦ୍ରା ଲୋନ ପାଇବାକୁ ହେଲେ ବିଭିନ୍ନ କାଗଜ ପତ୍ର ୩ରୁ ୫ ହଜାର ଟଙ୍କା ଜମା କରିବାକୁ ପଡିବ ବୋଲି କୁହାଯାଇଥିଲା । ସୁନ୍ତୀଳା ନିଜ ଘରର ଧାନ ବିକ୍ରି କରି ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ମୁଦ୍ରା ଲୋନ କରିବା ପାଇଁ ୧୨ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ କିଛି ଦିନ ପରେ ସୁନ୍ତୀଳା ଲୋନ ବିଷୟରେ ପଚାରିବାରୁ ତାଙ୍କୁ ୪ ଖଣ୍ଡ ଏଲଆଇସିର ରସିଦ ଦେଇଥିଲେ । ଏବେ ନିଜ ଚାଷ ପାଇଁ ଟଙ୍କା ନଥିବାରୁ ସୁନ୍ତୀଳା ଚିନ୍ତାରେ ଦିନ କାଟୁଥିବା କହିଛନ୍ତି ।
ସେହିପରି ଅନ୍ୟ ଜଣେ ଯୁବକ ଜଣକ ହେଉଛନ୍ତି ସେହି ଗାଁର ସାୟଲାଲ ଗଣ୍ଡ । ସାୟଲାଲ ମଧ୍ୟ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ପୁନିନ୍ଦ୍ର ହାଜ୍ରାଙ୍କ ପ୍ରଲୋଭନର ଶିକାର ହୋଇ ମୁଦ୍ରା ଲୋନ ପାଇବା ଆଶାରେ ୩ହଜାର ଟଙ୍କା ଜମା କରିଥିଲେ । କିନ୍ତୁ କିଛି ଦିନ ପରେ ଖଣ୍ଡିଏ ଏଲଆଇସିର ରସିଦ ପାଇ ଚିନ୍ତାରେ ପଡିଯାଇଥିଲେ । ଘରେ ଗଣ୍ଡେ ଭଲ ଖାଇବାକୁ ନଥିବାବେଳେ ନିଜ ଅଜାଣତରେ ହୋଇଥିବା ଜୀବନ ବୀମା ଟଙ୍କା କେମିତି ବାନ୍ଧିବେ ଏବଂ ଚାଷ କେମିତି କରିବେ ସେ ଚିନ୍ତାରେ ସାୟଲାଲ ।