ନବରଙ୍ଗପୁର: ବିଶ୍ବକୁ ଗ୍ରାସିଛି କୋରୋନା ଭାଇରସ । ଏହି ଭାଇରସର ନା ଅଛି ଚିକିତ୍ସା ନା ଅଛି ଔଷଧ । ହେଲେ ଭୂତାଣୁର ସମ୍ଭାବ୍ୟ ପ୍ରଭାବକୁ ରୋକିବା ପାଇଁ ସାମାଜିକ ଦୂରତ୍ବ ସହ ସ୍ବଚ୍ଛତା ହିଁ ଏକମାତ୍ର ଉପାୟ ସାଜିଛି । ଏମିତି ଏକ ଘଡିସନ୍ଧି ମୂହୂର୍ତ୍ତରେ ନିଜକୁ ରକ୍ଷା କରିବାକୁ ବିପୁଳ ପରିମାଣର ମାସ୍କ ଓ ସାନିଟାଇଜରର ବ୍ୟବହାର ଚାଲିଛି । କିନ୍ତୁ ବଜାରରୁ ଏହି 2ଟି ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଗାୟବ । ଆଉ ଏହି ଅଭାବକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ନବରଙ୍ଗପୁରର ସ୍ବେଚ୍ଛାସେବୀ ସୁଷମା ଜୈନ । ନିଜେ ସାନିଟାଇଜର ପ୍ରସ୍ତୁତ କରି ମାଗଣାରେ ବାଣ୍ଟି ଚାଲିଛନ୍ତି ସେ ।
ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଲୋକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିନା ଆଲକହଲର ସାନିଟାଇଜର ମାଗଣା ବଣ୍ଟନ କରୁଛନ୍ତି ସୁଷମା । ସମ୍ପୂର୍ଣ୍ଣ ଭାବେ ଘରୋଇ ଉପକରଣ ଦ୍ବାରା ନିର୍ମିତ ହେଇଛି ଏହି ସାନିଟାଇଜର । ବିଶ୍ବ ଏଭଳି ଏକ ସଙ୍କଟ ସମୟରେ ଗତି କରୁଥିବା ବେଳେ ନିଜେ ସୁରକ୍ଷାରେ ରହି ନିଜ ଉଦ୍ୟମରେ ଅନ୍ୟଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ।