ନବରଙ୍ଗପୁର: ଉପକୂଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ଦୁର୍ଗମ ଅଞ୍ଚଳରେ କାୟା ବିସ୍ତାର କରୁଛି ଚର୍ମ ରୋଗ । ନବରଙ୍ଗପୁର ଜିଲ୍ଲା ଚେପଟିଆମ୍ବା ଗାଁରେ ଏକ ଚର୍ମ ରୋଗରେ ଛୋଟ ଛୋଟ ଶିଶୁମାନେ ଆକ୍ରାନ୍ତ ହେଉଥିବା ବେଳେ ଧୀରେଧୀରେ ଗାଁରେ ବ୍ୟାପକ ମାତ୍ରାରେ ସଂକ୍ରମଣ ସଂଖ୍ୟା ବ୍ୟାପିବାରେ ଲାଗିଛି । ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୫ ଶିଶୁଙ୍କୁ ଏହି ଚର୍ମ ରୋଗ ହେବାପରେ ଲୋକେ ଭୟଭୀତ ହେବା ସହ ଚିନ୍ତାରେ ରହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପଡ଼ୋଶୀ କରମଚାନ୍ଦଗୁଡ଼ା ଗ୍ରାମର ଜଣେ ଶିଶୁ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ୧୫ ଦିନ ତଳେ ଚେପଟିଆମ୍ବା ଗ୍ରାମର ଜଣେ ଶିଶୁର ଓଠ ପାଖ ଲାଲ୍ ହୋଇଯାଇଥିଲା । ପରେ ସେହି ସ୍ଥାନରେ ଘା' ହୋଇଥିଲା । ଧୀରେଧୀରେ ମୁହଁରେ ଘା' ବ୍ୟାପିଯାଇଥିଲା । ଶିଶୁର ହୋଇଥିବା ଏହି ରୋଗ କ୍ରମଶଃ ଗାଁର ଅନ୍ୟ ଶିଶୁଙ୍କୁ ବ୍ୟାପିଥିଲା । ଗତ ୧୫ ଦିନ ମଧ୍ୟରେ ଗ୍ରାମର ପ୍ରାୟ ୨୦ରୁ ୨୫ ଜଣ ଶିଶୁ ଏହି ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ରୋଗ ପ୍ରଥମେ ଶିଶୁ ମାନଙ୍କ ମୁହଁରେ ଛୋଟ ଫୋଟକା ପରି ବାହାରି ଗୋଟେ ଦୁଇ ଦିନ ମଧ୍ୟରେ ମୁହଁ ସାରା ଘା' ହେବା ସହ ପରବର୍ତ୍ତୀ ସମୟରେ ଶିଶୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଏହି ଚର୍ମ ରୋଗ ବ୍ୟାପୁଛି । ଏହି ରୋଗରେ 0-୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନେ ଆକ୍ରାନ୍ତ ହେଉଥିବା ବେଳେ ଶିଶୁମାନଙ୍କ ଶରୀର ପ୍ରବଳ ଖୁଣ୍ଡାଇ ହୋଇଥାଏ ବୋଲି ଶିଶୁମାନଙ୍କ ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ଗାଁରେ ଶିଶୁମାନଙ୍କ ସହ ୪ରୁ ୫ ଜଣ ବ୍ୟକ୍ତି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ରୋଗକୁ ଗ୍ରାମବାସୀ ପ୍ରଥମେ ବସନ୍ତ ବୋଲି ଭାବି ଝୁଣା, ଧୂପ, ପୂଜା ପାଠ ଆଦି ପଦ୍ଧତି ଆମ୍ବଲନ କରି ଚିକିତ୍ସା କରୁଥିବା ବେଳେ କୌଣସି ଫଳପ୍ରଦ ନହୋଇ ଓଲଟା ସାରା ଗାଁରେ ବ୍ୟାପି ଥିଲା ।