ଓଡିଶା

odisha

By

Published : Jan 9, 2023, 12:14 PM IST

ETV Bharat / state

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଲେ ପରିବାର ଲୋକେ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କ ମୃତ୍ଯୁର କ୍ଷତିପୂରଣ ନ ମିଳିବା ଯାଏଁ ମୃତଦେହ ନେବୁ ନାହିଁ ବୋଲି ଜିଦ୍ ଧରିଛନ୍ତି ମୃତକଙ୍କ ପରିବାର ଲୋକେ। ଅଧିକ ପଢନ୍ତୁ

people demand for compensation
people demand for compensation

people demand for compensation

ନବରଙ୍ଗପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କ ମୃତ୍ୟୁ ପରେ ଏଠାରେ ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ନମିଳିବା ଯାଏଁ ମୃତଦେହ ଉଠାଇବାକୁ ମନା କରି ଦେଇଥିଲେ ମୃତକଙ୍କ ପରିବାର ଲୋକେ । ଏହାକୁ ନେଇ ରବିବାର ଅପରାହ୍ନ ୪ଟାରୁ ମେଡ଼ିକାଲ ରାସ୍ତା ଅବରୋଧ କରିଥିଲେୋ । ତେବେ ଘଟଣାସ୍ଥଳରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଉତ୍ତେଜିତ ଲୋକେ ମୃତଦେହ ସତ୍କାର ପାଇଁ ଉଠାଇଛନ୍ତି ।

ସୂଚନା ମୁତାବକ, ସୁନିତା କୂଳଦୀପ ନାମକ ଜଣେ ଆଟେଣ୍ଡାଣ୍ଟ ସବୁଦିନ ଭଳି ରବିବାର ସକାଳୁ ନିଜ ଦାୟିତ୍ୱ ତୁଲାଇବାକୁ ଡାକ୍ତରଖାନା ପହଞ୍ଚିଥିଲେ । ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କୁ ଦେଖାଇ ମେଡ଼ିକାଲରେ ଭର୍ତ୍ତି ହେବା ପରେ ସୁନିତାଙ୍କ ମୃତ୍ୟ ଘଟିଥିଲା । ମୃତ୍ୟକୁ ନେଇ ତାଙ୍କ ପରିବାର ଏବଂ ସହକର୍ମୀମାନେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । କହିଥିଲେ ଯେ ସୁନିତାଙ୍କ ମୃତ୍ୟ ଏକ ସ୍ୱାଭାବିକ ତଥା ସାଧାରଣ ମୃତ୍ୟ ନୁହେଁ । ତାଙ୍କ ଉପରେ ଡାକ୍ତରଖାନାର କର୍ତ୍ତୃପକ୍ଷ ମାନସିକ ଚାପ ପକାଇ ମାରିବାକୁ ଏକ ପ୍ରକାର ବାଧ୍ୟ କରି ଦେଇଥିଲେ ।

ସୁନିତା ଦୀର୍ଘ ୧୨ ବର୍ଷ ହେଲା NRHMରେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ବିନା କାରଣରେ ଗତ ବର୍ଷ ଅଗଷ୍ଟ ମାସ ଅର୍ଥାତ ଗତ ୬ ମାସ ହେଲା ତାଙ୍କୁ ତାଙ୍କ ଦରମା ଦେଉନଥିଲେ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ ବହୁବାର ସେ ଗୁହାରି କରିଛନ୍ତି । କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ଚାକିରିର ଦାୟିତ୍ୱ ଆଉଟ ସୋର୍ସିଂକୁ ଦିଆଯିବ ବୋଲି କହିଥିଲେ । ଯାହା ଫଳରେ ତାଙ୍କ ଚାକିରିର ସ୍ଥାୟୀତ୍ୱକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ଦରମା ପାଇଁ ଦାବି କରି ସେ ନୟାନ୍ତ ହୋଇଥିଲେ ମଧ୍ୟ ଦରମା ତ ମିଳିଲା ନାହିଁ ଶେଷରେ ଏ ଚିନ୍ତାରେ ତାଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି ।

ତେବେ ସୁନୀତାଙ୍କ ପରିବାରରେ ସେ ଏକମାତ୍ର ରୋଜଗାରିଆ ମଣିଷ ଥିଲେ । ତାଙ୍କ ସ୍ୱାମୀ ଜଣେ ହୃଦରୋଗୀ ଓ ସେ କୌଣସି କାମ କରି ପାରୁନାହାନ୍ତି । ଏଥିସହ ୯ ବର୍ଷର ବଡ଼ ପୁଅ ଓ ସାନ ଝିଅକୁ ୫ ବର୍ଷ । ରୋଗୀଣା ସ୍ୱାମୀ ଆଉ ଦୁଇ ଛୁଆଙ୍କ ପେଟ ପୋଷୁଥିଲେ ସୁନୀତା । ତାଙ୍କ ଏକ ମାସର ଦରମା ମାତ୍ର ୧୦ ହଜାର ଏକ ଶହ ଟଙ୍କା । ସୁନୀତାଙ୍କ ମୃତ୍ୟ ଖବର ପହଞ୍ଚିବା ପରେ ମେଡ଼ିକାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ସିକ୍ୟୁରିଟି ଗାର୍ଡ ସମସ୍ତେ ପହଞ୍ଚି ଏହି ମୃତ୍ୟ ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏଥିସହ ରାତି ଦିନ ପରିଶ୍ରମ କରୁଥିବା ଛୋଟିଆ କର୍ମଚାରୀଙ୍କ ପେଟ ମାରିବା ପ୍ରଥା ବନ୍ଦ ହେଉ ବୋଲି ଦାବି କରିଥିଲେ ।

ଅନ୍ୟପଟେ ଏ ସମସ୍ତ ଖବର ଶୁଣି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝୀ ଏବଂ ମାନସ ରଞ୍ଜନ ଦାସ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ମୃତ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ଚାକିରି ସହ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରନ୍ତୁ ଏବଂ ତୁରନ୍ତ ଆଉଟ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଥିଲା । ସେହିପରି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦରମା ବନ୍ଦ ହେବା ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଯେଉଁ ଅଧିକାରୀ ଏ ସବୁ ପଛରେ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସୁନିତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ମୁଁ ଚେଷ୍ଟା କରିବି ।" ଏପଟେ କ୍ଷତିପୂରଣ ସହ ବକେୟା ଦରମା ପ୍ରଦାନ ଏବଂ ପରିବାରର ଜଣକୁ ଚାକିରି ନମିଳିବା ଯାଏଁ ଶବ ସତ୍କାର ପାଇଁ ନେବୁ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରି ବସିଥିଲେ । ତେବେ ବୁଝାସୁଝା ପରେ ମୃତକଙ୍କ ପରିବାର ଲୋକେ ମୃତଦେହ ଉଠାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details