ନବରଙ୍ଗପୁର: କୋରୋନାକୁ ରୋକିବାକୁ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରାଯାଇଛି l ମହାମାରୀ କୋରୋନା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନଥିବାରୁ ସାମାଜିକ ଦୂରତା ହିଁ ଏକ ମାତ୍ର ବିକଳ୍ପ ଭାବେ କୁହାଯାଇଛି l ଏହି ସାମାଜିକ ଦୂରତା ପାଳନ କରି ବର କନ୍ୟା ବାଡ଼ି ସାହାଯ୍ୟରେ ପରସ୍ପରକୁ ପିନ୍ଧାଇଛନ୍ତି ବରଣମାଳା l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉପନିବନ୍ଧକ ଓ ସ୍ବତନ୍ତ୍ର ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ l
କୋଟପାଡ଼ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ହରିପ୍ରସାଦ ଗୁପ୍ତାଙ୍କ ପୁଅ ଗୋବିନ୍ଦ ଗୁପ୍ତା (23) ଙ୍କ ସହିତ କୋଟପାଡ଼ ଅନ୍ତର୍ଗତ ଟିକଟା ସାହିର ସନ୍ତୋଷ ସାହୁଙ୍କ କନ୍ୟା ତୃପ୍ତିମୟୀ ସାହୁ(20)ଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ ହୋଇଥିଲା । ବିବାହ ସମୟରେ ବର ପକ୍ଷରୁ ମା ଅଳକା ଗୁପ୍ତା ଓ କନ୍ୟା ପିତା ସନ୍ତୋଷ ସାହୁ ସେଠାରେ ଉପସ୍ଥିତି ଥିଲେ l ଆଇନଜୀବୀ ହରି ନାରାୟଣ ବେହେରା, ଜିଲ୍ଲା ଉପନିବନ୍ଧକ ଓ ସ୍ବତନ୍ତ୍ର ବିବାହ ଅଧିକାରୀ ବାବୁଲାଲ ସାମଲଙ୍କ ଉପସ୍ଥିତିରେ ବରକନ୍ୟା ପରସ୍ପରକୁ ବାଡ଼ି ଦ୍ବାରା ବରଣମାଳା ପିନ୍ଧାଇ ବିବାହ କରିଥିଲେ ।