ଭୋଜି ଖାଇବାକୁ ଯାଇ ଫେରିଲେନି ୪ଜଣ ନବରଙ୍ଗପୁର: ଭୋଜି ଖାଇ ଫେରୁଥିବା ବେଳେ ୪ ଜଣଙ୍କୁ ଅପହରଣ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଉମରକୋଟ ସହରରୁ । ଏନେଇ କାଁକେରା ଥାନାରେ ଅଭିଯୋଗ ହୋଇଥିବା ବେଳେ ଉମରକୋଟ IIC ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଅନୁସାରେ, ଉମରକୋଟ ସହରର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡର କାଁକେରାକୁ ଭୋଜି ଖାଇବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସମ୍ପର୍କୀୟଙ୍କ ଘର କଣ୍ଡଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା କାଁକେରା ଥାନାରେ ଅଭିଯୋଗ ହୋଇଛି । ଅପହୃତାଙ୍କ ମଧ୍ୟରେ ସପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ ରିତା ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡୋଶୀ ହଜାରି ଢାଲି ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର
ଭୋଜି ସାରି ଶନିବାର ରାତି ପ୍ରାୟ ୧୦.୩୦ରେ ସେମାନେ କଣ୍ଡଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ସେ ସମୟ ଅନୁସାରେ ଘରେ ପହଞ୍ଚି ନଥିଲେ । ଏହାରି ଭିତରେ ପରିବାର ଲୋକ ବ୍ୟସ୍ତ ହୋଇ ଫୋନ ଲଗାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସପନଙ୍କ ପୁଅ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପୁଅ କାଁକେରା ଥାନାରେ ଏକ ଏତଲା ଦେଇଛନ୍ତି । ଉମରକୋଟ IIC ଦୀପକ କୁମାର ଜେନା ସପନ ସରକାରଙ୍କ ଘରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସପନ ଜିଜ୍ ସ୍ଵିଫ୍ଟ କାର୍ OD24C_1705ରେ ଯାଇଥିବା ସୂଚନା ରହିଛି । ତେବେ କୁଆଡେ ଗଲେ ନବରଙ୍ଗପୁରର ସପନ ସରକାରଙ୍କ ପରିବାର? ଚାରିଜଣ ଏକାଠି ବାହାରିଥିବା ବେଳେ କିଏ ଅପହରଣ କରିଲା ତାଙ୍କୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ନବରଙ୍ଗପୁର