ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମରେ 3 ବିରଳ ଗରୁଡ଼ ପକ୍ଷୀଙ୍କ ମୃତଦେହ ଉଦ୍ଧାର । ଏହି ଗରୁଡ଼ ପକ୍ଷୀଗୁଡିକ ଗଛ କୋରଡ଼ରେ ରହିଥିବା ବେଳେ ଉକ୍ତ ଗଛ କଟାଯିବାରୁ ସେମାନଙ୍କ ମୃ୍ତ୍ୟୁ ଘଟିଥିବା ଜଣାପଡି଼ଛି ।
ନବରଙ୍ଗପୁରରେ 3 ବିରଳ ଗରୁଡ଼ ପକ୍ଷୀଙ୍କ ମୃତଦେହ ଉଦ୍ଧାର ମିଳିଥିବା ସୂଚନା ଅନୁସାରେ, ମାଝିଗୁଡା ଗ୍ରାମର ଜଣେ ଲୋକ ଘର ତିଆରି କରିବା ପାଇଁ ଗଛ କାଟି ସଫା କରୁଥିବା ବେଳେ ଏହି ଗଛ କୋରଡ଼ରେ ରହିଥିବା 5ଟି ପକ୍ଷୀ ମଧ୍ୟରୁ 3ଟିର ମୃତ୍ୟୁ ଘଟିଛି । ତେବେ ଅନ୍ୟ 2 ପକ୍ଷୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାର ବନ ବିଭାଗକୁ ଖବର ଦେଇଥିଲେ ।
ତେବେ ବନବିଭାଗ କର୍ମଚାରୀ ପକ୍ଷୀଙ୍କୁ ଗଛ କୋରଡ଼ରେ ଛାଡି ଦେଇଛନ୍ତି । ବର୍ତ୍ତମାନ ବାର୍ଡ ଫ୍ଲୁର ଆତଙ୍କ ଥିବାରୁ ନବରଙ୍ଗପୁର ପଶୁ ଚିକିତ୍ସା ଅଧିକାରୀମାନଙ୍କ ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ କରିବା ପରେ ପକ୍ଷୀଙ୍କ ରହିବାରୁ ବ୍ୟବସ୍ଥା କରାଯିବ ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି ।
ଗରୁଡ଼ ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହାନ ବୋଲି ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି । ଘଟଣାସ୍ଥଳରେ ଗ୍ରାମବାସୀ ଏହି ପକ୍ଷୀଙ୍କୁ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ 3ଟି ପକ୍ଷୀର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ