ନବରଙ୍ଗପୁର: ଆରମ୍ଭ ହେଲା ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ପ୍ରତିଭାର ଅନ୍ବେଷଣର ଏହି ଉତ୍ସବ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ନେବାପରେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସଂସ୍କୃତି ଓ କଳାର ମିଳନ ପର୍ବ ମଣ୍ଡେଇ ମହୋତ୍ସବରେ ଦେଖିବାକୁ ମିଳିବ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ।
ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ 2019ରେ ପାଦ ଦେଇଛି । ମଣ୍ଡେଇ ମହୋତ୍ସବ 18ବର୍ଷରେ ପାଦ ଦେଇଥିବାବେଳେ ଏହାକୁ ଖୁବ୍ ଧୁମଧାମରେ ନବରଙ୍ଗପୁର ବାସିନ୍ଦା ସ୍ବାଗତ ଜଣାଇଛନ୍ତି । ପ୍ରଥମ ଦିବସର ଅତିଥି ଥିବା ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅତିଥିଙ୍କ ଦ୍ବାରା ମା' ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା'ଙ୍କ ଆଜ୍ଞ।ମାଳ ନେଇ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରାରେ ମଣ୍ଡେଇର ବାର୍ତ୍ତା ଓ ଲକ୍ଷ୍ୟ, ଉଦ୍ଦେଶ୍ୟ ପୂରଣ ନେଇ ସହର ପରିକ୍ରମା କରିଥିଲେ ।