ଓଡିଶା

odisha

ETV Bharat / state

୧୭୨ ଗାଁ ହେଲା ବାଲ୍ୟବିବାହ ମୁକ୍ତ - ନବରଙ୍ଗପୁର ବାଲ୍ୟବିବାହ

୧୭୨ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ । ଅଧିକ ପଢନ୍ତୁ...

୧୭୨ ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ
୧୭୨ ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

By

Published : Jul 9, 2021, 7:42 AM IST

ନବରଙ୍ଗପୁର: ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ପ୍ରଚଳିତ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ ।

ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମ ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରି ରହିଛି । ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳ ମାନଙ୍କ ସହିତ ବିଭିନ୍ନ ବୈଠକ କରୁଛନ୍ତି । ଯେପରିକି ବାଲ୍ୟ ବିବାହର କୁପରିଣାମ ବୈଠକ, ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଉଛି । ନାବାଳିକା ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୋହସାର ବଟିକାକୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି ।

ଏହାର ପ୍ରଭାବରେ ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳ ମାନେ ଜିଲ୍ଲାର ବିଭିନ୍ନ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ମୋଟ ୧୭୨ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି ।

ସମଗ୍ର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ, ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ, ମେ ମାସରେ ୩୬ ଗ୍ରାମ ଓ ଜୁଲାଇ ମାସରେ ୮୪ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯିଛି । ସେହିପରି ଜିଲ୍ଲାପାଳ ଡଃ ମିଶ୍ରଙ୍କ ଉଦ୍ୟମ କ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ର ମିଳିତ ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୧୯ ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି । ସେଥି ମଧ୍ୟରୁ ଉମରକୋର୍ଟ ବ୍ଲକରେ ସର୍ବାଧିକ ୫୫ ଟି, ରାଇଘର ବ୍ଲକରେ ୨୫ଟି, ଚନ୍ଦହାଣ୍ଡି ବ୍ଲକରେ ୩ଟି, ଝରିଗ୍ରାମ ବ୍ଲକରେ ୧୫ଟି, ଡାବୁଗାଁ ବ୍ଲକରେ ୪ଟି, ପାପଡାହାଣ୍ଡି ବ୍ଲକରେ ୫ଟି, କୋଷାଗୁମୁଡା ବ୍ଲକରେ ୩ଟି, ନବରଙ୍ଗପୁର ବ୍ଲକରେ ୩ଟି, ତେତୁଲିଖୁଣ୍ଟି ବ୍ଲକରେ ୩ଟି ଏବଂ ନନ୍ଦାହାଣ୍ଡି ବ୍ଲକରେ ୩ଟି ବାଲ୍ୟ ବିବାହ ରୋକାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details