ରାଇରଙ୍ଗପୁର: ନିଖୋଜ ହେବାର ୧୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ପୋଖରୀ ଭିତରୁ ପଥର ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ଗ୍ରାମର ଧନେଶ୍ବର ସାହୁ । ସେ କିଛି ଦିନ ତଳେ ବଜାରକୁ ଯାଇ ନିଖୋଜ ହୋଇଯାଇଥିଲେ । ପାରିପାର୍ଶ୍ବିକ ଘଟଣାବଳୀରୁ ଧନେଶ୍ବରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି ।
ଯାହାସୂଚନା ରହିଛି, ୪ ତାରିଖ ଦିନ ଧନେଶ୍ବର ଘର ଆଜବେଷ୍ଟସ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ୩୦ହଜାର ଟଙ୍କା ଧରି ଭଞ୍ଜକିଆ ବଜାରକୁ ଆସିଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ତାଙ୍କ ପତ୍ନୀ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନିରାଶ ହେବା ପରେ ଯଶୀପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ରିପୋର୍ଟ ପାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ଗତ ୧୧ ତାରିଖରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ ଧନେଶ୍ଵରଙ୍କ ସ୍ତ୍ରୀ । ଆରକ୍ଷୀ ଅଧିକ୍ଷକ ମଧ୍ୟ ଘଟଣାକୁ ଏତେ ଗୁରୁତ୍ବ ଦେଇନଥିଲେ । ତେଣୁ ସେଠାରୁ ବି ନିରାଶ ହେବା ପରେ ମହିଳା ନିଜ ୪ ଛୁଆଙ୍କ ସହିତ ଆଶା ଆଶଙ୍କାରେ ଦିନ କାଟୁଥିଲେ ।