ଓଡିଶା

odisha

ଏ କେମିତିକା ପ୍ରେମିକ: ପ୍ରେମିକାକୁ ଘରକୁ ଡାକି ଜୀବନ ନେବାକୁ କଲା ଉଦ୍ୟମ

By

Published : Jun 1, 2023, 8:28 AM IST

ପ୍ରେମିକାକୁ ଘରକୁ ଡାକି ପ୍ରେମିକ ପରିବାରର ହତ୍ୟା ଉଦ୍ୟମ। ପ୍ରେମିକର ବାପାକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

Young woman attacked by lover family members
Young woman attacked by lover family members

Young woman attacked by lover family members

ରାଇରଙ୍ଗପୁର: ଘରେ କେହି ନଥିବା କହି ପ୍ରେମିକାକୁ ଘରକୁ ଡାକିଥିଲା ପ୍ରେମିକ । ଘରେ ପହଞ୍ଚିବା ପରେ ପ୍ରେମିକାକୁ ମରଣାନ୍ତକ ଆକ୍ରମଣ କଲେ ପ୍ରେମିକର ପରିବାର ଲୋକେ । ନିସ୍ତୁକ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ କରୁଥିଲେ ଉଦ୍ୟମ । ଅଳ୍ପକେ ବର୍ତ୍ତି ଗଲେ ଯୁବତୀ ଜଣଙ୍କ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗୋଡାପଳସା ଗ୍ରାମରେ । ଯୁବତୀ ଜଣଙ୍କ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଥାନାରେ ଅଭିଯୋଗ ପରେ ପ୍ରେମିକର ବାପାକୁ ଗିରଫ କରିଛି ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ, ଯଶିପୁର ଥାନା ଅନ୍ତର୍ଗତ ଗୋଡାପଳସା ଗ୍ରାମର ଜନୈକ ପ୍ରେମିକ ଆଶିଷ ମହାନ୍ତଙ୍କ ସହିତ ଅନ୍ୟ ଏକ ଗ୍ରାମର ଯୁବତୀଙ୍କ ସହ ଦୀର୍ଘ ୫ ବର୍ଷ ହେବ ପ୍ରେମ ସମ୍ପର୍କ ରହି ଆସିଥିଲା । ସୋମବାର ଦିନ ସନ୍ଧ୍ୟା ସମୟରେ ପ୍ରେମିକ ଆଶିଷ ତାଙ୍କ ପ୍ରେମିକାଙ୍କୁ ନିଜ ଘରକୁ ଡ଼ାକିଥିଲା । ଏପଟେ ପ୍ରେମିକାର ଜୀବନ ନେବାକୁ ପ୍ରେମିକର ଘର ଲୋକେ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ। ଯେତେବେଳେ ଯୁବତୀ ଜଣଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ଆରମ୍ଭ ହୋଇଥିଲା ଆକ୍ରମଣ ।

ଆଶିଷଙ୍କ ମାଆ ଉକ୍ତ ଯୁବତୀଙ୍କ ଚୁଟିକୁ ଟାଣି ଧରିଥିବା ବେଳେ ବାପା ଟୁକୁ ମହାନ୍ତ ହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଆଶିଷଙ୍କ ବଡଭାଇ ସିପୁନ ମହାନ୍ତ ଏକ ଠେଙ୍ଗା ସାହାଯ୍ୟରେ ଯୁବତୀଙ୍କୁ ପିଟି ଚାଲିଥିଲେ । ଏହି ସମୟରେ ଗ୍ରାମର କନ୍ଦର୍ପ ବାରିକ ତାଙ୍କ ଘରେ ପହଞ୍ଚି ଯିବାରୁ ଯୁବତୀଙ୍କୁ ଛାଡି ଦେଇଥିଲେ ପ୍ରେମିକଙ୍କ ଘର ଲୋକେ । ପରେ ଉକ୍ତ ଯୁବତୀଙ୍କୁ ଘରୁ ଘୋଷାଡି ଆଣି ବାହାରେ ଛିଡ଼ା ହୋଇଥିବା ଏକ ବୋଲେରୋରେ ଚାପି ମାରି ଦେବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯଶିପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ କରଞ୍ଜିଆ ମେଡିକାଲକୁ ଯୁବତୀ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇଁ ହସ୍ପିଟାଲରେ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ବୟାନ ରେକର୍ଡ କରିଥିଲା ଯଶିପୁର ଥାନା ପୋଲିସ । ତେବେ ଯୁବତୀଙ୍କୁ ପ୍ରେମିକ ସମେତ ତାର ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଯଶିପୁର ଥାନାରେ 142/23ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ । ଏହି ଘଟଣାରେ ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ଆଶିଷର ବାପା ଟୁକୁ ମହାନ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଯୁବତୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ପ୍ରେମିକ ଆଶିଷ, ତାଙ୍କ ବଡ଼ଭାଇ ଓ ମାଆ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details