ରାଇରଙ୍ଗପୁର: ଗ୍ରାହକ ମାନଙ୍କକୁ ଦୁର୍ବ୍ୟବହାର କରୁଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଓ କ୍ୟାସିଅର। ଏପରି ଅଭିଯୋଗ ଆଣି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଘେରାଉ କରିବା ସହ ଉଭୟଙ୍କ ବଦଳି ଦାବି କଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମତଳିଆରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଘେରାଉ କରିଥିଲେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା । ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ ।
ସୋମବାର ଦିନ ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ବଡ଼ାମତଳିଆ ଶାଖାକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ବ୍ୟାଙ୍କର ମ୍ୟାନେଜର ଓ ବ୍ୟାଙ୍କ କ୍ୟାସିଅରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଶତାଧିକ ମହିଳା ବ୍ୟାଙ୍କ ଘେରାଉ କରିଥିଲେ । ସେଠାରେ ମ୍ୟାନେଜର ଓ କ୍ୟାସିଅରଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ନାରା ଦେଇଥିଲେ ଆନ୍ଦୋଳନରତ ମହିଳାମାନେ । ତେବେ ବ୍ରାଞ୍ଚ ମ୍ୟାନେଜର ଓ କ୍ୟାସିଅର ଗ୍ରାହକଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଥି ସହିତ ବୃଦ୍ଧ, ବୃଦ୍ଧା ଓ ବିଧବା ମହିଳାମାନେ ଭତ୍ତା ଟଙ୍କା ଆଣିବାକୁ ବ୍ୟାଙ୍କ ଯାଉଥିବା ବେଳେ ସେଠାରେ ସେମାନଙ୍କୁ ମ୍ୟାନେଜର ଓ କ୍ୟାସିଅର କଟୁ ଭାଷା କହିବା ସହ ଟଙ୍କା ନଥିବା ଦର୍ଶାଇ ଗ୍ରାହକ ମାନଙ୍କୁ କମ୍ ଟଙ୍କା ଦେଉଛନ୍ତି । ବର୍ଷେରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ନୂତନ ପାସବୁକ ଦିଆ ନଯିବା, ବ୍ୟାଙ୍କ ଖାତା ଅପଡେଟ୍ ନକରି ଗ୍ରାହକଙ୍କ ସହିତ ଯୁକ୍ତିତର୍କ କରିବା, ବ୍ୟାଙ୍କ୍ ପାଖକୁ ଯିବା ପାଇଁ ଭଲ ରାସ୍ତା ନଥିବା ଏବଂ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଅଲଗା ଆକାଉଣ୍ଟର କରାଯିବା ଇତ୍ୟାଦି ଦାବି ନେଇ ମହିଳାମାନେ ବ୍ୟାଙ୍କ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।