ରାଇରଙ୍ଗପୁର: ରକ୍ଷକ ସାଜିଛି ଭକ୍ଷକ । ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଗଛ କାଟି ଲଣ୍ଡା କରି ଦେଲେ ଫରେଷ୍ଟ ଗାର୍ଡ । ଜଣେ ମହିଳା ବନରକ୍ଷୀ ଏକର ଏକର ଜଙ୍ଗଲ ସଫା କରି ଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ 200ରୁ ଉର୍ଦ୍ଧ୍ବ ଗଛ କାଟିବା ସହ ଯଦି କେହି ବାରଣ କରୁଛି ସେମାନଙ୍କୁ ହତ୍ୟା ଧମକ ଦେଉଛନ୍ତି ବନରକ୍ଷୀ କବିତା ବେହେରା । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳରୁ । ବନରକ୍ଷୀଙ୍କ ବିରୋଧରେ ଅଭିଯୋଗ ପରେ ବର୍ତ୍ତମାନ ତାଙ୍କୁ ଠାକୁରମୁଣ୍ଡା ରେଞ୍ଜରୁ କରଞ୍ଜିଆ ରେଞ୍ଜ ଘାଗରବେଡା ବିଟକୁ ବଦଳି କରାଯାଇଛି । ଅନ୍ୟପଟେ ଜାଗା କିଣିବା ବେଳେ ସତ୍ୟପାଠରେ ନିଜକୁ ବ୍ୟବସାୟୀ ବୋଲି ଦର୍ଶାଇଛନ୍ତି ବନରକ୍ଷୀ । କିପରି ଜଣେ ବନରକ୍ଷୀ ସରକାରୀ କର୍ମଚାରୀ ହୋଇ ଜାଗା କିଣିବା ବେଳେ ମିଥ୍ୟା ସତ୍ୟପାଠ ଦାଖଲ କଲେ ତାହା ଏବେ ପ୍ରଶ୍ନବାଚୀ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର 2022 ମସିହାରେ ବନରକ୍ଷୀ କବିତା ବେହେରା ଠାକୁରମୁଣ୍ଡା ବ୍ଲକ ଦୁଆରଶୁଣି ମୌଜାରେ 11 ଏକର 51 ଡେସମିଲ ଜମି ନିଜ ନାମରେ କିଣିଥିଲେ । ଉକ୍ତ ଜାଗାଟି ଜଙ୍ଗଲ ଭିତରେ ଥିବାରୁ ଶ୍ରମିକ ନିୟୋଜିତ କରି ସେଠାରେ ଥିବା ବଡ଼ ବଡ ଶାଳ ଗଛ କାଟି ସେ ସଫା କରିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ଦେଇଥିଲେ । ସ୍ଥାନୀୟ ଲୋକେ ଗଛ କାଟିବାରୁ ବାରଣ କରିବାରୁ ସେମାନଙ୍କୁ ମହିଳା ବନରକ୍ଷୀ ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କୁ ଜଣାଇବା ପରେ ସାତକୋଶିଆ ବନବିଭାଗ ବେଆଇନ ଭାବେ କଟାଯାଇଥିବା ଦୁଇ ଟ୍ରାକ୍ଟର ଭର୍ତ୍ତି କାଠ ଜବତ କରିଥିଲେ । ଏହାପରେ ଜବତ କାଠକୁ ରେଞ୍ଜ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ସହ ସାତକୋଶିଆ ରେଞ୍ଜରେ କେସ୍ ନଂ 149/23 ରେ ଏକ ମାମଲା ରୁଜୁ କରି ଜଣେ ଶ୍ରମିକଙ୍କୁ ଗିରଫ କରାଯିବା ପରେ ଛାଡି ଦିଆଯାଇଥିବା ଜଣାପଡିଛି । ଆଜି କାର୍ଯ୍ୟାନୁଷ୍ଠାନ ସ୍ବରୂପ ବନରକ୍ଷୀ କବିତା ବେହେରାଙ୍କୁ ଠାକୁରମୁଣ୍ଡା ରେଞ୍ଜରୁ କରଞ୍ଚିଆ ରେଞ୍ଚ ଘାଗରବେଡା ବିଟକୁ ବଦଳି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ମାତିଛନ୍ତି କାଠ ମାଫିଆ, ସଫା କରିଦେଲେଣି ମୂଲ୍ୟବାନ ଗଛ