ରାଇରଙ୍ଗପୁର:ହତ୍ୟାକାରୀକୁ ଆଜୀବନ ଜେଲ୍ । ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ । ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ଆସାମୀ ଏକ୍ସପ୍ରେସ ସିଂଙ୍କୁ ଆଜୀବନ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ରାୟ ପ୍ରକାଶ ପାଇବା ପରେ ଆସାମୀ ଏକ୍ସପ୍ରେସ ସିଂକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଥିବା ସୂଚନାରୁ ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାଘୁଆ ଗ୍ରାମରେ ୨୦୧୬ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ଏକ୍ସପ୍ରେସ ସିଂ ନିଜ ପତ୍ନୀ ଗୌରି ସିଂର ଚରିତ୍ରକୁ ସନ୍ଦେହ କରି ଏକ ଶାଢ଼ୀ ସାହାଯ୍ୟରେ ତଣ୍ଟିକୁ ଚିପି ହତ୍ୟା କରିବା ପରେ ନିଜ ଘରେ ଶାଢ଼ୀ ସାହାଯ୍ୟରେ ତା ସ୍ତ୍ରୀକୁ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ।