ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ରାଜ୍ୟର 34 ନମ୍ବର ବିଧାନସଭା ଆସନ। ମୟୂରଭଞ୍ଜର ଏହା ହେଉଛି ଏକମାତ୍ର ଅଣସଂରକ୍ଷିତ ଆସନ। 2009ରେ ନୂଆ କରି ଗଠିତ ହୋଇଥିଲା ଏହି ନିର୍ବାଚନ ମଣ୍ଡଳୀ । ଦୁଇଥର ହେଲା ବିଜେଡି ପ୍ରାର୍ଥୀ ତଥା ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏଠାରୁ ବିଜୟୀ ହୋଇଛନ୍ତି। ହେଲେ ଏଥର ବିଜେପି ଛାଡି ଶଙ୍ଖ ଧରିଥିବା ରାଜକିଶୋର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ରାଜକିଶୋର ଥରେ ବାରିପଦା ଏବଂ ଦୁଇଥର ମୋରଡାରୁ ବିଜେପି ଟିକେଟରେ ଲଢି ହାରିଛନ୍ତି । ଏପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର।
ଜିଲ୍ଲାରେ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ କଂଗ୍ରେସ ଓ ଜେଏମଏମ ମେଣ୍ଟକରି ମୈଦାନକୁ ଓହ୍ଲାଇଛନ୍ତି। ହେଲେ ମୋରଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉଭୟ ଦଳ ଏଠି ପ୍ରାର୍ଥୀ ଦେଇଛନ୍ତି । 2014ର ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଭାସ କର ମହାପାତ୍ରଙ୍କୁ ଏଥର ବି ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ ପୂର୍ବଥର ଆମ ଓଡିଶାରୁ ପ୍ରାର୍ଥୀ ହୋଇଥିବା କଳିଙ୍ଗ କେଶରୀ ଜେନା ଜେଏମଏମରୁ ଲଢୁଛନ୍ତି ।