ବାରିପଦା: ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲି ବି ଯାଇଛି। ତନ୍ତ କେବେ ବନ୍ଦ ହୋଇନଥିଲା। ହେଲେ କୋରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ଛଡାଇ ନେଲା ସେମାନଙ୍କ ଜୀବନ ଜୀବିକା । ଓଡ଼ିଶାରେ କେବଳ ସମ୍ବଲପୁରୀ ନୁହେଁ, ହସ୍ତତନ୍ତ ଶାଢ଼ୀ, ଗାମୁଛା, ବେଡ଼ସିଟର ଚାହିଦା ଓଡିଶା ସହ ଦେଶ ବିଦେଶରେ ବି ବେଶ ବଢ଼ିବାରେ ଲାଗିଥିଲା । କିନ୍ତୁ ଦୀର୍ଘ ୯ ମାସର କୋରୋନା ମାଡରେ ବୁଣାକାର ନିଜ ପେଟପାଟଣା ପାଇଁ ତନ୍ତ ଛାଡି ମୂଲ ମଜୁରୀ ଖୋଜିଲେଣି। ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁର।
ମହାମାରୀ କୋରୋନା ଦାଉରୁ ଧୀରେ ଧୀରେ ମିଳୁଛି ଆଶ୍ଵସ୍ତି । ହେଲେ ବିକ୍ରି ହୋଇପାରୁନି ବୁଣାକାରଙ୍କ ହାତ ତିଆରି ଲୁଗା । ବାଙ୍ଗରିପୋଷି ବ୍ଲକ ଚନ୍ଦନପୁର ଗାଁରେ ଦୁଇଟି ସମିତିର ଅଛନ୍ତି 180 ଜଣ ବୁଣାକାର । ସମଗ୍ର ଦେଶରେ ଏମାନଙ୍କ ହାତ ତିଆରି ଲୁଗାର ଚାହିଦା ଥିବା ବେଳେ ଲକଡାଉନ ପରେ ଏବେ ହାତବାନ୍ଧି ବସିଛନ୍ତି ଏହି ବୁଣାକାର । ଜିନିଷ ବିକ୍ରି ପାଇଁ ନା ଅଛି ମାର୍କେଟ, ନା ଅଛନ୍ତି ଗ୍ରାହକ । ଫଳରେ ପଡ଼ି ରହିଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା । ହଷ୍ଟେଲ ସବୁ ବନ୍ଦ ଥୁବାରୁ ରାଜ୍ୟ ସରକାର ଏହି ସମବାୟ ସମିତିରୁ ବେଡ଼ସିଟ ମଧ୍ୟ କିଣୁ ନାହାନ୍ତି।