ଓଡିଶା

odisha

ETV Bharat / state

ଗରଡାପାଣି ଗାଁକୁ ଛୁଇଁନି ବିକାଶ, ସରକାରୀ ଯୋଜନା ସାତ ସପନ - ମୌଳିକ ସୁବିଧାରୁ ବଞ୍ଚିତ ଗରଡାପାଣି ଗ୍ରାମବାସୀ

ମୌଳିକ ସୁବିଧାରୁ ବଞ୍ଚିତ ଗରଡାପାଣି ଗ୍ରାମବାସୀ। ନା ମିଳୁଛି ବାସଗୃହ ନା ଆଜି ପର୍ଯ୍ୟନ୍ତ ଗାଁକୁ ପହଞ୍ଚି ପାରିଛି ବିଦ୍ୟୁତ ସଂଯୋଗ। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି 17 ପରିବାର । ଅଧିକ ପଢନ୍ତୁ

garadapani villagers problems
garadapani villagers problems

By

Published : Apr 25, 2023, 2:06 PM IST

garadapani villagers problems

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗରଡାପାଣି ଗାଁ । ବ୍ଲକ କାର୍ଯ୍ୟାଳୟରୁ ଗୋରୁମହିଷାଣୀ ଦେଇ ୩୨ କିଲୋମିଟର ଗଲେ ପଡ଼ିଥାଏ ଏହି ଗ୍ରାମ। ବଣ ଜଙ୍ଗଲ ଘେରା ଏହି ଗରଡାପାଣି ଗ୍ରାମରେ ରହୁଛନ୍ତି ୧୮ ଟି ପରିବାର । ମୋଟ ଜନସଂଖ୍ୟା ପାଖାପାଖି ୨୦୦ ହେବ । କିନ୍ତୁ ମୌଳିକ ସୁବିଦାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏଠାକାର ବାସିନ୍ଦା । ସରକାରୀ ଯୋଜନା ଏମାନଙ୍କ ପାଇଁ ଯୋମିତି ସାତସପନ ପାଲଟିଛି । ଗ୍ରାମବାସୀଙ୍କ ଉପରେ ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁଛି ନା ପ୍ରଶାସନର ।

ଜଙ୍ଗଲ ମଧ୍ୟରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଥିବା ଗାଁ ଲୋକଙ୍କ ପାଇଁ ନା ଅଛି ଗୋଟେ ଭଲ ରାସ୍ତା ନା ଅଛି ଭଲ ବାସଗୃହ । ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ଦୁଇ କିଲୋମିଟର ଚାଲି ଚାଲି ଯିବା ପରେ ପଡ଼ିଥାଏ ସେମାନଙ୍କର ବାସସ୍ଥଳୀ । ମଝିରେ ମଝିରେ କିଛି ମିଟର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇଛି କିନ୍ତୁ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଯାହା ଫଳରେ ଗାଡ଼ି ମଟର ଆମ୍ବୁଲାନ୍ସ ଗରଡାପାଣି ଗ୍ରାମକୁ ଆସି ପାରୁନାହିଁ । ଫଳରେ ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ଖଟିଆ ରେ ବୋହି ଜଙ୍ଗଲ ବାହାରକୁ ନେବା ପାଇଁ ପଡୁଛି ।

ଗ୍ରାମବାସୀଙ୍କ ବାସସ୍ଥାନ କଥା ନ କହିବା ଭଲ । କିଏ ଝାଟିମାଟି ଘରେ ରହୁଛି ତ କିଏ ଚାଳ ଛପର ଘରେ । କିଛି ଘରଗୁଡ଼ିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଗାଁ ଲୋକଙ୍କ ପାଇଁ ପାଲଟିଛି ସାତସପନ । କେବଳ ବାସଗୃହ ବା ରାସ୍ତା ସମସ୍ୟା ନୁହଁ ବରଂ ବିଶୁଦ୍ଧ ପାନୀୟ ଜଳ, ଇଣ୍ଟରନେଟ ଓ ବିଦ୍ୟୁତ ସେବା ଏଠାରେ ପହଞ୍ଚି ପାରି ନାହିଁ। ପାନୀୟ ଜଳ ପାଇଁ ଲୋକେ ଏକ କୂଅ ଉପରେ ନିର୍ଭଶୀଳ। ବର୍ଷା ଦିନେ ପୋଖରୀ ପାଣି କୂଅରେ ମିଶି ଯାଉଥିବା ବେଳେ ସେହି କୂଅର ପାଣି କୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏବେ ପ୍ରଚଣ୍ଡ ଖରାରେ କୂଅଟି ଶୁଖି ଯିବାରୁ ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ତେବେ ଗୋଟିଏ ଟ୍ୟୁବୱେଲ୍ ଖୋଳିଦେବା ନିମନ୍ତେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ ।

ଗାଁରେ ବିଦ୍ୟୁତ ସଂଯୋଗ ନଥିବାରୁ ସନ୍ଧ୍ୟା ହେବା ମାତ୍ରେ ଅନ୍ଧାରରେ ହଜିଯାଉଛି ଏହି ଗ୍ରାମ । ରାତିରେ ଡିବିରି ଆଲୁଅ ହିଁ ଏମାନଙ୍କ ସାହା ଭରସା ପାଲଟିଥାଏ । ଛାତ୍ରଛାତ୍ରୀ ବହୁ କଷ୍ଟରେ ସେହି ଟିବିରି ଆଲୁଅରେ ପାଠ ପଢୁଛନ୍ତି । ସେପଟେ ବିଜୁଳି ଆଲୁଅ ନ ଥିବାରୁ ଅନ୍ଧାର ହେଲା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଜଙ୍ଗଲ ମଧ୍ୟରେ ବସବାସ କରୁଥିବାରୁ ଜଙ୍ଗଲୀ ଜୀବଜନ୍ତଙ୍କ ଭୟ ସୃଷ୍ଟି ହେଉଛି ଗ୍ରାମବାସୀଙ୍କ ମନରେ। କେତେବେଳେ ଯେ ଏସବୁ ହିଂସ୍ର ଜନ୍ତୁ ହାବୁଡରେ ପଡି କାହାର ଜୀବନ ଚାଲିଯିବ ତାହା କହି ହେବ ନାହିଁ। ସେହିପରି ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବାରୁ ଅସୁବିଧା ସମୟରେ କିମ୍ବା ଜରୁରୀକାଳୀନ ପରିସ୍ଥିତି ରେ ଗାଁ ଲୋକେ କାହା ସହିତ ଯୋଗାଯୋଗ ମଧ୍ୟ କରି ପାରନ୍ତି ନାହିଁ ।

ଏ ସମ୍ପର୍କରେ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ନିଜ ଦୁଃଖ ପ୍ରକାଶ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସୁଫଳ ମିଳି ପାରିନାହିଁ । ତେବେ ମୁଖ୍ୟତଃ ଗାଁକୁ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ, ସୁରକ୍ଷିତ ରହିବା ପାଇଁ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ପାଇଁ ନଳକୂପ, ବିଜୁଳି ସଂଯୋଗ ଓ ଯୋଗାଯୋଗ ପାଇଁ ମୋବାଇଲ ନେଟୱର୍କ ଟାୱାର ପାଇଁ ଗାଁ ଲୋକେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏନେଇ କୁଲେଇଶିଳା ଗ୍ରାମପଞ୍ଚାୟତର ସରପଞ୍ଚ ମିଲି ରାଣୀ ସିଂ ଓ ରାଇରଙ୍ଗପୁର ବ୍ଲକ ବିଡ଼ିଓ ସାଗର ଚନ୍ଦ୍ର ମୁର୍ମୁଙ୍କୁ ପଚାରିବାରୁ ଯଥାଶୀଘ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସରପଞ୍ଚ କହିଛନ୍ତି । ସେହିପରି ରାଇରଙ୍ଗପୁର ବିଡ଼ିଓ ମଧ୍ୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details