ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଳିଆଡିହା ଗ୍ରାମ ପଞ୍ଚାୟତର ଡକୋଇ ଅମଳନାମା ଗାଁ । ଏଠାରେ ରୁହନ୍ତି ବୃଦ୍ଧ ଆଦିବାସୀ ଦମ୍ପତ୍ତି ଗିରି ଦେହୁରୀ ଓ ଦିବ୍ୟାଙ୍ଗ ଝାଟି ଦେହୁରୀ । ପରିଣତ ବୟସରେ ଏମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଛାତ ନା ପେଟର ଭୋକ ମାରିବାକୁ ଅଛି ଦି ଓଳିର ଚାଉଳ । ସମ୍ପତ୍ତି କହିଲେ ଏମାନଙ୍କର କିଛି ନାହିଁ । ପର ଦୁଆରେ ଶୋଇ ବିତୁଛି ଦିନ। ସରକାରୀ ଯୋଜନାରେ ମିଳିଥିବା ପାଇଖାନା ପାଲଟିଛି ଏବେ ଏକମାତ୍ର ସାହାରା । ବୃଦ୍ଧ ଦମ୍ପତ୍ତିଙ୍କର ଏପରି ଦୁର୍ଦ୍ଦିନ ସ୍ବାଧୀନତାର 74 ବର୍ଷ ପରେ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ବେଶ ସ୍ପଷ୍ଟ କରୁଛି ।
ଗରିବ ଗୁରୁବାଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସରକାରଙ୍କ ସବୁ ଯୋଜନାରୁ ବାଦ ପଡିଛନ୍ତି ଅମଳନାମା ଗାଁର ଗିରି ଓ ଝାଟି । ପାଞ୍ଚ ବର୍ଷ ପୂର୍ବରୁ ବର୍ଷାରେ ଭାଙ୍ଗି ପଡିଥିଲା ଉଭୟଙ୍କ ଘର । ଏବେ ଘର ଖଣ୍ଡେ ନଥିବାରୁ ପଡୋଶୀଙ୍କ ବାରଣ୍ଡାରେ ଜୀବନ ବିତୁଥିବା ବେଳେ ପାଇଖାନାରେ ଚାଲିଛି ରୋଷେଇ । ଖୋଲା ଆକାଶ ତଳେ ଥିବା ଗଛରେ ଝୁଲୁଛି ଛିଣ୍ଡା ଲେଙ୍କଡା ଲୁଗା ଦୁଇ ଖଣ୍ଡ । ଖାଲି ସେତିକି ନୁହେଁ ସରକାରୀ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ପଡିରହିଛି ଘରର ଆସବାବପତ୍ର ଆଉ ପାଇଖାନା ପାଲିଟିଛି ରୋଷଶାଳା ।