ବାରିପଦା:ଋଣ ଟଙ୍କା ଶୁଝି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଏକ ଘଟଣାଘଟିଛି ବାରିପଦା ସହର ୧୯ ନମ୍ବର ୱାର୍ଡରେ । ବୀଣା ବେହେରା ନାମକ ମହିଳା ଋଣ କିସ୍ତି ନ ଦେଇ ପାରି ଆତ୍ମହତ୍ୟା ଉଦ୍ୟମ କରି ବାରିପଦା ପି ଆର ଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଅଷ୍ଟମୀ ବେହେରା ନାମ୍ନୀ ଜନୈକା ମହିଳା ଅଧିକ ଅର୍ଥ ରୋଜଗାର ଲୋଭ ଦେଖାଇ ପ୍ରାୟ ୯୦ ଜଣ ମହିଳାଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ଜୁନ ୨୭ ତାରିଖରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ଗୋଟିଏ ପଟେ ମହିଳାମାନେ ଠକେଇର ଶିକାର ହୋଇଥିବା ବେଳେ ଅନ୍ୟ ପଟେ ଋଣ ପରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀଙ୍କର ଆକ୍ରୋଶର ଶିକାର ହେଉଛନ୍ତି । ଫାଇନାନ୍ସ କର୍ମଚାରୀଙ୍କ ଜୁଲମ ଓ ଗାଳିରେ ଅତିଷ୍ଠ ହୋଇ ବୀଣା ବିଷ ପିଇ ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।