ରାଇରଙ୍ଗପୁର:ମହାବିଷୁବ ସଂକ୍ରାନ୍ତି ଅବସରରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଉଡା ଯାତ୍ରା । ଲୋକାରଣ୍ୟ ହେଲା ପ୍ରସିଦ୍ଧ ଐଶନେଶ୍ବର ମହାଦେବଙ୍କ ପୀଠ । ଚଳିତ ବର୍ଷ ଉଡା ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ଠାରୁ ଏହି ଉଡା ଯାତ୍ରା ଆରମ୍ଭ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) ସମ୍ପନ୍ନ ହୋଇଥିଲା । ରାଜା ରାଜୁଡା ଅମଳରୁ ରାଇରଙ୍ଗପୁରରେ ଏହି ଯାତ୍ରା ପାଳିତ ହୋଇଆସୁଛି । ଚାରି ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ ।
ଗତ ମଙ୍ଗଳବାର ଖଡଖାଇ ନଦୀରୁ ମହାଦେବଙ୍କ ଶୁଭ ଘଟ ରାତି 12 ଘଟିକା ସମୟରେ ଉତ୍ତୋଳନ କରାଯାଇ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା । ଏହାପରେ ବୁଧବାର ଦିନ ମଧ୍ୟ ରାତି 12 ଘଟିକା ସମୟରେ ଖଡଖାଇ ନଦୀରୁ ଯାତରା ଘଟ ଉଠାଯାଇ ମନ୍ଦିରକୁ ଅଣାଯାଇଥିଲା । ପୁଣି ଭୋର 4ଟା ସମୟରେ କାମନା ଘଟ ପରେ ମନ୍ଦିରକୁ ଶୁଭ ଘଟ ଅଣା ଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା ।
ସେହିପରି ଗୁରୁବାର ଦିନ ରାତି 12ଟା 30 ମିନିଟ ସମୟରେ ଡାଳିଭଙ୍ଗା ଘଟ ଆଣି ସେହି ଘଟର ଜଳକୁ ମହାଦେବଙ୍କ ନିକଟରେ ଅର୍ପଣ କରାଯିବା ପରେ ରାତି 3ଟା ସମୟର କାଳିକା ଘଟ ଉଠାଇଥାନ୍ତି ଗଢ ଗ୍ରାମର ନଳିନୀ ସାହୁ । କାଳିକା ଘଟକୁ ମଧ୍ୟ ମନ୍ଦିରକୁ ଅଣାଯାଇ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । କାଳିକା ଘଟ ନ ଉଠିଲେ ଉଡା ଯାତ୍ରା ଅଞ୍ଚଳରେ ହେବା ସମ୍ଭବପର ନୁହେଁ । ଗୁରୁବାର ଦିନ ଭୋରରୁ ଗୋରିଆ ଭାର ଉଠାଯାଇ ମହାଦେବଙ୍କୁ ଅର୍ପଣ କରାଯାଇଥିଲା ।