ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧) କୋର୍ଟରେ ଜମିଜମା ଗଣ୍ଡଗୋଳକୁ ନେଇ ଡବଲ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ଦୁଇ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ଲେଖାଏଁ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟର ବିଚାରପତି ରାୟ ଶୁଣାଣି କରିଛନ୍ତି ।
ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ କହିଛନ୍ତି, "ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ହରିଣଖୁଣ୍ଟା କେସୁରା ଗ୍ରାମର କିଶୁନ ମାରାଣ୍ଡି ଓ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖଇରବଣି ଗ୍ରାମର ମଙ୍ଗଲ ବାସ୍କେ । ବିଚାର ସମୟରେ ପ୍ରମାଣ ଅଭାବରୁ ଅନ୍ୟ ଜଣେ ଅଭିଯୁକ୍ତ ଡାଙ୍ଗୀ ମାରାଣ୍ଡିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟର ବିଚାରପତି । ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ । ରାୟ ପ୍ରକାଶ ପାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।"