ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡିହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲାର ଅସଲ କାହାଣୀ ।
4 ବର୍ଷ ପୂର୍ବରୁ ନିଖୋଜ ଯୁବକଙ୍କ ହତ୍ୟାକାଣ୍ଡ ଘଟଣା, 2 ଗିରଫ ୨୦୧୭ ମସିହା ଏପ୍ରିଲ ମାସରେ ବାରିପଦାର ୧୮ ନମ୍ବର ୱାର୍ଡ ବାସିନ୍ଦା ପର୍ଶୁରାମଙ୍କ ପୁଅ ନିଖୋଜ ହେବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେ ସମୟରେ ପୁଅ ବିଶ୍ବଜିତ ବେହେରାଙ୍କର କୌଣସି ପତ୍ତା ନମିଳିବାରୁ ବାପା ପର୍ଶୁରାମ ଅସ୍ତବ୍ୟସ୍ତ ହୋଇପଡିଥିଲେ ।
ଏହି ଘଟଣାକୁ ୪ ବର୍ଷ ବିତିଗଲା ପରେ ଶେଷରେ ବିଶ୍ବଜିତଙ୍କ ଠିକଣା ଖୋଜି ପାଇବାରେ ସଫଳ ହୋଇଛି ତଦନ୍ତକାରୀ ଦଳ । ନିଖୋଜ ବିଶ୍ବଜିତ ବ୍ୟବହାର କରିଥିବା ମୋବାଇଲ ଜରିଆରେ ଟାଉନା ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଓ ତାଙ୍କ ଟିମ ଘଟଣାର ପର୍ଦ୍ଦଫାଶ କରିବାରେ ସଫଳ ହୋଇଛନ୍ତି ।
ନିଖୋଜ ବିଶ୍ବଜିତଙ୍କୁ ହତ୍ୟା କରାଯାଇଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ହତ୍ୟା ମାମଲାରେ ଜଡିତ କୁଳିଅଣା ଥାନା ଅଞ୍ଚଳର ନରେନ୍ଦ୍ର ପାତ୍ର ଓ ଝାଡଖଣ୍ଡର ବଂଶୀଧର ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ