ଓଡିଶା

odisha

By

Published : Jun 29, 2021, 4:05 PM IST

ETV Bharat / state

ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର; 12 ଗାଁରେ ନାହିଁ ନେଟୱାର୍କ, ମଞ୍ଚା ଉପରେ ଚାଲିଛି ଅନଲାଇନ୍ କ୍ଲାସ୍

ନେଟୱର୍କ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ନେଟୱର୍କ ପାଇଁ କିଏ ପାହଡ ଚଢୁଛି ତ କିଏ ମଞ୍ଚା ବାନ୍ଧୁଛି ତ ପୁଣି ଆଉ କିଏ ଗଛ ଚଢୁଛି । ଏ ପରି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ ପ୍ରାୟ 12ଟି ଗାଁରେ । ନେଟୱର୍କ ସମସ୍ୟା ପାଇଁ ପାଠପଢାରେ ବାଧା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

12ଗାଁରେ ନାହିଁ ନେଟୱାର୍କ, ପ୍ରସହନ ପାଲଟିଛି ଅନଲାଇନ ଶିକ୍ଷାଦାନ
12ଗାଁରେ ନାହିଁ ନେଟୱାର୍କ, ପ୍ରସହନ ପାଲଟିଛି ଅନଲାଇନ ଶିକ୍ଷାଦାନ

ରାଇରଙ୍ଗପୁର: ମହାମାରୀ କୋରୋନା ସମଗ୍ର ଦେଶରେ ହାହାକାର ସୃଷ୍ଟି କରିଛି । ଉଭୟ ଜୀବନ ଓ ଜୀବିକା କୋରୋନା କୋପରେ ପ୍ରଭାବିତ ହୋଇଛି । ଏହା ଭିତରେ ପିଲାଙ୍କ ପାଠପଢା ବି ପ୍ରଭାବିତ ହୋଇଛି । କୋରୋନା ପାଇଁ ସ୍କୁଲରେ ତାଲା । ପିଲାଙ୍କୁ ଅନଲାଇନରେ ପାଠପଢା ପାଇଁ ନିଷ୍ପତ୍ତି ନେଲେ ସରକାର । ହେଲେ ଏହା ସମ୍ପୂର୍ଣ୍ଣ ଫେଲ ମାରିଛି । ନେଟୱର୍କ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ନେଟୱର୍କ ପାଇଁ କିଏ ପାହଡ ଚଢୁଛି ତ କିଏ ମଞ୍ଚା ବାନ୍ଧୁଛି ତ ପୁଣି ଆଉ କିଏ ଗଛ ଚଢୁଛି । ଏ ପରି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ ପ୍ରାୟ 12ଟି ଗାଁରେ । ନେଟୱର୍କ ସମସ୍ୟା ପାଇଁ ପାଠପଢାରେ ବାଧା ସୃଷ୍ଟି ହୋଇଛି ।

ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର; 12 ଗାଁରେ ନାହିଁ ନେଟୱାର୍କ, ମଞ୍ଚା ଉପରେ ଚାଲିଛି ଅନଲାଇନ୍ କ୍ଲାସ୍

ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ ପ୍ରାୟ 12ଟି ଗାଁ ରହିଛି । ସେଠାରେ ପ୍ରାୟ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଉକ୍ତ ଗାଁର ଅନେକ ପରିବାରଙ୍କ ଆର୍ଥିକ ବ୍ୟବସ୍ଥା ମଧ୍ୟ ସେତେ ସୃଦୁଢ ନୁହେଁ । ଅନଲାଇନ ପାଠପଢା ପାଇଁ ନିଷ୍ପତ୍ତି ନିଆଯିବା ପରେ ଟଙ୍କା ଯୋଗାଡ କରି ମୋବାଇଲ ଫୋନ କିଣିଲେ । ହେଲେ ଫୋନ ଚାଲିବା ପାଇଁ ନାହିଁ ନେଟୱାର୍କ ସୁବିଧା । ନେଟୱାର୍କ ନଥିବାରୁ ବାଧାପ୍ରାପ୍ତ ହୋଇଛି ପାଠପଢା । ନେଟୱାର୍କ ଟିକିଏ ପାଇବା ପାଇଁ ଗଛ ଓ ପାହାଡ଼ ସାଜିଛି ସାହାରା । ଗାଁର ଅଳ୍ପ କେତେକ ଉଚ୍ଚ ସ୍ଥାନରେ ନେଟୱାର୍କ ଆସୁଥିବାରୁ ପିଲାମାନେ ସେହି ସୁବିଧା ଆପଣଉଛନ୍ତି । ଗାଁରୁ ଏକ କିଲୋମିଟର ଦୂରକୁ ଯାଇ ଉଚ୍ଚ ଚଟାଣ ଓ ପାହାଡ଼ ଉପରେ ନେଟୱାର୍କ ଖୋଜି ସେଠାରେ ବିପଦଜନକ ଅବସ୍ଥାରେ ୟୁଟ୍ୟୁବରେ କ୍ଲାସ କରୁଥିବା ଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ।

ଦୁର୍ଗମ ଅଞ୍ଚଳଗୁଡିକର ବିକାଶ ପାଇଁ ସରକାରଙ୍କ ରହିଛି ବିଭିନ୍ନ ଜନହିତକର ଯୋଜନା । ଉକ୍ତ ଅଞ୍ଚଳ ଗୁଡିକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହାର କେତେ ବିକାଶ ହୋଇଛି ତାର ବାସ୍ତବ ଚିତ୍ର ବଖାଣୁଛି ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ । ଅନଲାଇନ ଓ ୟୁଟ୍ୟୁବରେ ପାଠପଢ଼ା ବ୍ୟବସ୍ଥା କରି ସରକାର ବାଃ ବାଃ ନେଉଥିବା ବେଳେ ପ୍ରକୃତରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ସହ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।

ବିଂଶ ଶତାବ୍ଦୀରୁ ସରକାର ଡିଜିଟାଲ ଭାରତ ଘୋଷଣା କରିଥିଲେ ହେଁ ଆଦିବାସୀ ବହୁଳ ଗାଁ ଗୁଡିକରେ ଏଯାଏଁ ପହଞ୍ଚି ପାରିନି ଇଣ୍ଟରନେଟ ସେବା । ଯାହାକି ଅଞ୍ଚଳବାସୀଙ୍କ ପାଇଁ ବିଡମ୍ବନାର ବିଷୟ । ତେବେ ସରକାରଙ୍କ ଡିଜିଟାଲ ଭାରତର ପ୍ରଚାର ପ୍ରସାର ଫେଲ ମାରିଥିବା ବେଳେ କେବେ ଏ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ହେଉଛି ଓ କେବେ ଏ ଦୁର୍ଦ୍ଦଶାରୁ ପିଲାମାନେ ମୁକ୍ତି ପାଇଛନ୍ତି ତାହା ଦେଖିବାକୁ ବାକି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details