ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ଦିନକୁ ଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ରାଇରଙ୍ଗପୁର ସହର ମୁଖ୍ୟ ବଜାରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ବାଇକକୁ ଟ୍ରାକ୍ଟର ଧକ୍କା ଦେବା ଫଳରେ ୨ ଜଣ ଆହାତ ହେବା ସହ ଜଣେ ଗୁରୁତର ହୋଇଥିଲେ । ଆହାତଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ ଓ ଝିଅ ରହିଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପାଖାପାଖି ୫.୧୫ ସମୟରେ ରାଇରଙ୍ଗପୁର ବଜାର ପଟକୁ ଯାଉଥିବା ଏକ ବାଇକ ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଉକ୍ତ ବାଇକରେ ବାପା ଓ ଝିଅ ଥିବା ବେଳେ ତାଙ୍କ ଉପରେ ଟ୍ରାକ୍ଟରଟି ଚଢ଼ି ଯାଇଥିଲା । ଏଥି ସହିତ ଟ୍ରାକ୍ଟରରେ ବସିଥିବା ବାଇଦାପୋଷି ଅଞ୍ଚଳର କାନ୍ଦା ନାଏକ ଟ୍ରାକ୍ଟରରୁ ଖସି ପଡ଼ିଥିଲେ ଯାହାଫଳରେ ଟ୍ରାକ୍ଟରଟି ତାଙ୍କ ଉପରେ ଚଢି ଯାଇ ରାସ୍ତା କଡ଼ରେ ଥିବା ଏକ ଟାୟାର ଦୋକାନ ଭିତରକୁ ପଶି ଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଆହାତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଥିଲେ । ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ହୋଇଥିଲା । ପରେ ବାଇକ ଚାଳକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର ।
ଏହା ମଧ୍ୟ ପଢନ୍ତୁ..ଅପରାଧି ମୁକ୍ତ ହେବ ପୁରୀ ସହର, ସ୍ବତନ୍ତ୍ର ଡ୍ରାଇଭରେ 84 ଜଣ ଗିରଫ