ରାଇରଙ୍ଗପୁର:ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ଜୋରଦାର ପ୍ରୟାସ ଚଳାଇଛି ବନବିଭାଗ । ଆଜି ଚଢାଉରେ 4ଟି ବାଘ ଛାଲ ଜବତ ହୋଇଥିବାବେଳେ 3ଜଣଙ୍କୁ ଗିରଫ କରିଛି ବନବିଭାଗ । ଗତ କିଛି ଦିନ ହେବ ଅଭୟାରଣ୍ୟ ଓ ପାଦଦେଶଗୁଡ଼ିକରେ ପୋଲିସ ଓ ବନବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଉଛି । ଦୁଇ ଜଣ ବନବିଭାଗ କର୍ମଚାରୀଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶଗୁଡିକରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ତେବେ ସର୍ଚ୍ଚ ଅପରେସନ ସମୟରେ ମୟୂରଭଞ୍ଜ ପୋଲିସକୁ ବିଭିନ୍ନ ସମୟରେ ବାରମ୍ବାର ସଫଳତା ମଧ୍ୟ ମିଳୁଛି । ପୋଲିସ ପକ୍ଷରୁ ଚଢାଉ କରାଯାଇ କେତେବେଳେ ବନ୍ଧୁକ କାରଖାନା ଠାବ କରାଯାଉଛି ତ କେତେବେଳେ ଦେଶୀ ବନ୍ଧୁକ ଜବତ କରାଯାଉଛି । ଏହା ସହିତ ଶିକାରୀମାନଙ୍କୁ ବି ଗିରଫ କରିବାରେ ସଫଳ ହେଉଛି ମୟୂରଭଞ୍ଜ ପୋଲିସ । ଏସବୁ ଭିତରେ ବନବିଭାଗକୁ ମଧ୍ୟ ଏକ ବଡ଼ ସଫଳତା ମିଳିଛି । ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ବନବିଭାଗ ଚଢ଼ାଉ କରି ୪ଟି ବାଘ ଛାଲ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ ।
ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ତଥା ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ବାଘ ଛାଲ ଥିବାର କୌଣସି ସୁତ୍ରରୁ ଖବର ପାଇଥିଲା ପୋଲିସ। ଏନେଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ ମିଳିତ ଭାବେ ଏକ ଟିମ୍ ଗଠନ କରିଥିଲେ। ଏହି ଟିମରେ ଉଭୟଙ୍କ ଅଧିନରେ ଥିବା ରେଞ୍ଜ ଅଧିକାରୀ ଓ କର୍ମଚାରୀମାନେ ସାମିଲ ରହିଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏହି ଟିମ ବହଳଦା ଗ୍ରାମରେ ଅତର୍କିତ ଭାବେ ଚଢାଉ କରିଥିଲେ।