ରାଇରଙ୍ଗପୁର:ଏସିଆ ମହାଦେଶର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ନିୟମିତ ଭାବରେ ପୋଲିସ ଓ ବନବିଭାଗ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ଚଲେଇଛନ୍ତି । ଶିକାରୀ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଜଣ ବନ କର୍ମଚାରୀ ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ଶିମିଳିପାଳରେ କମ୍ବିଂ ଅପରେସନ କରାଯାଉଛି । ସେଥିରେ ପୋଲିସକୁ ବହୁଳ ମାତ୍ରାରେ ସଫଳତା ମିଳିଛି । ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଓ ଜଙ୍ଗଲ ମଧ୍ୟରୁ ୮ଟି ବନ୍ଧୁକ ଜବତ କରାଯାଇ ଥିବାବେଳେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ ।
ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ପୋଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟକୁ ଲାଗିଥିବା ରେଣ୍ଟାସାହି, ଚନ୍ଦନଚତୁରୀ, ଚମ୍ପାଗଡ଼, ଯଦୁନାଥପୁର ଓ ହାତୀକୁଟ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ତିନୋଟି ଦେଶୀ ବନ୍ଧୁକ ଜବତ କରାଯିବା ସହିତ ତିନି ଜଣକୁ ଗିରଫ କରିଥିଲା ପୋଲିସ । ସେହିପରି ଜିଲ୍ଲାର ଖୁଣ୍ଟା ଥାନା ପୋଲିସ ବହଳଦା ଗ୍ରାମ ନିକଟସ୍ଥ ଶିମିଳିପାଳ ଜଙ୍ଗଲ ଭିତରେ ଶିକାରୀମାନେ ବନ୍ଧୁକ ଲୁଚାଇ ରଖିଥିବାର ଖବର ପାଇଥିଲା ପୋଲିସ । ଜଙ୍ଗଲରେ ଖାନତଲାସି କରି ପୋଲିସ ୫ଟି ଦେଶୀ ବନ୍ଧୁକ ଜବତ କରିଛି ।
ଅଧିକ ପଢ଼ନ୍ତୁ: ଶିମିଳିପାଳରେ କୁମ୍ବିଂ ଅପରେସନ, ବନ୍ଧୁକ ସହ ୩ ଶିକାରୀ ଗିରଫ