ରାଇରଙ୍ଗପୁର: ବର୍ତ୍ତମାନ କୋରୋନାକୁ ନେଇ ଦେଶବ୍ୟାପୀ ଲକଡାଉନ ହୋଇଥିବା ବେଳେ ଲୋକମାନଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦେବାରେ ସାହାଯ୍ୟ କରୁଛି ସରକାର । ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡ଼ିର ଶିଶୁ, ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା ତଥା ମାଆ ମାନଙ୍କ ଶୁଖିଲା ଖାଦ୍ୟ ଅଣ୍ଡା, ଚାଉଳ, ଛତୁଆ, ସୁଜି ଓ ଲଡୁ ଆଦି ପ୍ରତ୍ୟେକଙ୍କ ଘରକୁ ପହଞ୍ଚାଇବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଧିନ କେନ୍ଦୁଆ ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରର ଅନିୟମିତତାକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ତେବେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ମଞ୍ଜରୀ ମହାକୁଡ ଓ ପାଚିକା ସବିତା ମହାନ୍ତ ଏହି ସବୁ ଶୁଖିଲା ଖାଦ୍ୟ ଘରକୁ ନ ପହଞ୍ଚାଇ ଅଙ୍ଗନବାଡ଼ି କେନ୍ଦ୍ରରୁ ନେବାକୁ ବାଧ୍ୟ କରିଥିଲେ ଏବଂ ଏହାର ବିରୋଧ କରାଯିବାରୁ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହିତାଧିକାରୀଙ୍କୁ କମ୍ ମାତ୍ରାରେ ଖାଦ୍ୟ ପଦାର୍ଥ ଦିଆଯିବା ସହିତ ଛତୁଆ, ସୁଜି, ଲଡୁ ଇତ୍ୟାଦି ବାବଦକୁ ପକେଟ ପିଛା ୨ ଟଙ୍କା ଲେଖାଏଁ ନେବା ଏବଂ ଗର୍ଭବତୀ ମହିଳା, ମାଆ ଓ ଶିଶୁ ମାନେ ୫/୬ ମାସରେ ୨ ଥର ମାତ୍ର ଶୁଖିଲା ଖାଦ୍ୟ ପାଇଥିବା ବେଳେ ଗୋଟିଏ ସପ୍ତାହର ୩ ଟି ଲେଖାଏଁ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି ।