ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଆଜି(ବୁଧବାର) ସକାଳ ସମୟରେ ଲୁଟ ଓ ଗୁଳିକାଣ୍ଡ ଘଟିଯାଇଛି । ଗୁଳିମାଡରେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁଦ ଅଲ୍ଲୀ ନାମକ ଗୋ-ବେପାରୀ ମୃତ୍ୟୁବରଣ କରିଛନ୍ତି । ତେବେ ସକାଳୁ ସାପ୍ତାହିକ ହାଟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ହଠାତ ଜାମସୁଦଙ୍କ ଉପରକୁ ଗୁଳି ଚଳାଇ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ ।
ତେବେ ବର୍ତ୍ତମାନ ପୋଲିସର ତଦନ୍ତ ଚାଲିଥିବା ବେଳେ ମୃତ ଜାମସୁଦଙ୍କ ଛାତି, ଗାଲ ଓ ଅଣ୍ଟା ତଳେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡିଛି । ତା’ସହିତ ଘଟଣା ସ୍ଥଳରେ ଗୋଟିଏ ମଇଁଷିକୁ ମଧ୍ୟ ଗୁଳି ବାଜି ମଇଁଷିଟିର ମଧ୍ୟ ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୟୂରଭଞ୍ଜ ଏସପି, ରାଇରଙ୍ଗପୁର ଏଏସପି ଓ ରାଇରଙ୍ଗପୁର ଏସଡିପିଓ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି ।