ରାଇରଙ୍ଗପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ଜନୈକ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଶିକ୍ଷକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ରବିନ୍ଦ୍ର କୁମାର ମହାନ୍ତ । ଗର୍ଭବତୀ ନେଇ ଉକ୍ତ ଛାତ୍ରୀ ଓ ତାଙ୍କ ମାଆ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଜନୈକ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସମୟ କ୍ରମେ ସେ ନିଜ ଘର ପୁରୁଣାପାଣିରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଟିଉସନ ଆରମ୍ଭ କରିଥିଲେ । ଉକ୍ତ ଟିଉସନରେ ଠାକୁରମୁଣ୍ଡା ଥାନା ଅଧୀନସ୍ଥ ଏକ ଅଞ୍ଚଳର ଜନୈକ ନବମ ଶ୍ରେଣୀର ଛାତ୍ରୀ ମଧ୍ୟ ଟିଉସନ ପଢିବାକୁ ଆସୁଥିଲେ। ତେବେ ଶିକ୍ଷକ ରବିନ୍ଦ୍ର ଉକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ତଥା ଧମକ ଚମକ ଦେଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିଥିଲେ । ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଟିଉସନ ପଢୁଥିବା ଦିନଠାରୁ ରବିନ୍ଦ୍ର ବିଭିନ୍ନ ସମୟରେ ତାଙ୍କୁ ଦୁଷ୍କର୍ମ କରୁଥିବାରୁ ନାବାଳିକା ଜଣକ ବର୍ତ୍ତମାନ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ । ଏନେଇ ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ପରିବାର ଲୋକେ ଠାକୁରମୁଣ୍ଡା ଥାନାରେ ପହିଞ୍ଚି ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।