ରାଇରଙ୍ଗପୁର:ଆଠ ବର୍ଷ ବାଳକର ସନ୍ଦେହଜନକ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ । ମୃତ ନାବାଳକ ଜଣକ ହେଲେ ବିଞ୍ଝୁଆ ଗ୍ରାମର କାରୁ ସୋରେନଙ୍କ ପୁଅ ଜଗନ୍ନାଥ ସୋରେନ । କାରୁ ସୋରେନଙ୍କ ବଡ଼ ଝିଅ ଓ ପୁଅ ଜଗନ୍ନାଥ ଗତ ବୁଧବାର ନିଜ ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ।
ରାତିରେ ଭାଇ ଓ ଭଉଣୀ ଦୁହେଁ ଘରକୁ ଆସି ଖାଇ ସାରିବା ପରେ ପୁଣି ଜଗନ୍ନାଥ ସଂସ୍କୃତିର କାର୍ଯ୍ୟକ୍ରମ ଦେଖିବାକୁ ପଳେଇ ଯାଇଥିଲା । ତେବେ କିଛି ସମୟ ପରେ ଭଉଣୀ ମଧ୍ୟ ସେଠାକୁ ଯାଇଥିବା ବେଳେ ଭାଇ ଜଗନ୍ନାଥକୁ ପାଇ ନଥିଲେ । ଏନେଇ ପରିବାର ଲୋକେ ସେଠାରେ ବହୁତ ଖୋଜା ଖୋଜି କରିଥିଲେ । ପରେ ଭାଇକୁ ନପାଇ ଶେଷରେ ଘରକୁ ଫେରି ବାପା ମାଆଙ୍କୁ ଏ ବିଷୟରେ ଜଣାଇଥିଲେ। ରାତି ସାରା ପରିବାର ଲୋକେ ଜଗନ୍ନାଥକୁ ଖୋଜାଖୋଜି କରି ପାଇନଥିଲେ । ହେଲେ ଗୁରୁବାର ସକାଳୁ ତାଙ୍କ ଘର ବାଡ଼ି ପଛପଟ ବୁଦା ନିକଟରେ ଜଗନ୍ନାଥର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜଗନ୍ନାଥର ନାକ ଓ ପାଟିରେ ଫେଣ ବାହାରିଥିଲା ।
ଏନେଇ ପୁଅ ଜଗନ୍ନାଥକୁ ହତ୍ୟା କରାଯାଇଥିବା ନେଇ ବାପା କାରୁ ସୋରେନ ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍କୁ ଡ଼କାଇଥିଲେ। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ଟିକିନିଖି ଯାଞ୍ଚ କରିଥିଲେ।