ମୟୂରଭଞ୍ଜ: ଦୁଇ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ କଲେଜ ଗେଟରେ ତାଲା ଓ ଛାତ୍ର ଅଶାନ୍ତି । କଲେଜ ପ୍ରିନ୍ସିପାଲ ଏବଂ ଆକାଉଣ୍ଟଟେଣ୍ଟ ଜଣେ ଛାତ୍ରକୁ ମାଡ ମାରିବା ଘଟଣାକୁ ନେଇ କଲେଜ ପ୍ରିନ୍ସିପାଲଙ୍କ ବଦଳି ଦାବି କରିଥୁଲେ ଛାତ୍ରଛାତ୍ରୀ । ଯାହାକୁ ନେଇ କଲେଜ ଗେଟରେ ତାଲା ମାରିବା ସହିତ ଟାୟାର ଜାଳି ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୂନ ପୂରୂଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ମନୋଜ ସାହୁ ଏବଂ ଆକାଉଣ୍ଟଟେଣ୍ଟ ଶଶୀଭୂଷଣ ମିଶ୍ର କଲେଜକୁ ସିଏଲସି ନେବାକୁ ଆସିଥିବା ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରକୁ ପ୍ରିନ୍ସିପାଲଙ୍କ ଚ୍ୟାମ୍ବରରେ ମାଡ଼ ମରାଯାଇଥିଲା ।
ଏହା ସହିତ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ ର୍ଦୁବ୍ୟବହାର କରୁଥିବା ଅଭିଯୋଗ କରି କଲେଜ ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ହେଲେ ଏହାର ଏକ ସପ୍ତାହ ପୂର୍ବରୁ ଛାତ୍ରଛାତ୍ରୀମାନେ ଅନୂରୂପ ଧାରଣ ଦେଇଥିଲା ବେଳେ ସେମାନଙ୍କ ଦାବି ପୂରଣ ହୋଇ ନଥିବା ଯୋଗୁଁ ବାଧ୍ୟ ହୋଇ ବୁଧବାର ପୁଣି ଧାରଣା ଦେଇଛନ୍ତି ।
ପୂର୍ବରୁ ସାତ ଦିନ ମଧ୍ୟରେ ଅଧ୍ୟକ୍ଷଙ୍କ ବଦଳି କରାଯିବାର ପ୍ରତିଶୃତି ଦିଆଯାଇଥିଲା । ତେବେ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କ ବଦଳିରେ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ଛାତ୍ରଛାତ୍ରୀ ପୁଣି ତାତିବା ସହିତ କଲେଜ ଅଧ୍ୟକ୍ଷଙ୍କୁ ତୁରନ୍ତ ବଦଳି କରିବା ଦାବିରେ କଲେଜ ମୁଖ୍ୟ ଫାଟକରେ ଟାୟାର ଜାଳିଥିଲା । ତୁରନ୍ତ କଲେଜ ଅଧ୍ୟକ୍ଷଙ୍କୁ ବହିଷ୍କାର କରା ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ