ରାଇରଙ୍ଗପୁର : ଶିକାରୀ ଗୁଳିରେ ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜରଙ୍କ ହତ୍ୟା ଘଟଣା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗୁଳିକାଣ୍ଡ ଘଟିଥିବା ଘଟଣାସ୍ଥଳକୁ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଯାଇଥିଲେ । ତାଙ୍କ ସହିତ ପିସିସିଏଫ, ସିସିଏଫ, ଆରସିସିଏଫ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ମାସକ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରୀ ଗୁଳିରେ ଦୁଇ ଜଣ ବନ ବିଭାଗ କର୍ମଚାରୀଙ୍କ ଜୀବନ ଯିବା ଏକ ଦଃଖଦାୟୀ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣା ନେଇ ଠାକୁରମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇ ୧୦ ଜଣକୁ ଅଟକ ରଖା ଯାଇଛି। ପୋଲିସ ପକ୍ଷରୁ ପଚରାଉଚରା ମଧ୍ୟ ଜାରି ରଖିଛି । ବନବିଭାଗ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ବନବିଭାଗ କର୍ମଚାରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା ସହ ସ୍ବତନ୍ତ୍ର ଟ୍ରେନିଂ ଦେଇ ସଶକ୍ତ କରାଯିବ । ତାସହିତ ଶିମିଳିପାଳ ଅଭୟାରଣ୍ୟର ପାଦଦେଶଗୁଡ଼ିକରେ ଥିବା ବିଭିନ୍ନ ଗାଁଗୁଡିକରେ ବେଆଇନ ଦେଶୀ ବନ୍ଧୁକ ତିଆରି ହେଉଥିବା ସ୍ଥାନ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"