ରାଇରଙ୍ଗପୁର: ଦୁର୍ନୀତି ଅଭିଯୋଗ କରିବାରୁ ସାମ୍ବାଦିକଙ୍କୁ ଧମକ । ମୟୁରଭଞ୍ଜ ସାରସକଣା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଧଳପଥର ଚାଲାଣ କରୁଥିବା ହାଇଓ୍ବା ମାଲିକ ଫଟୋ ଉଠାଇବା ପାଇଁ କିଏ ଅନୁମତି ଦେଲା ବୋଲି ସାମ୍ବାଦିକଙ୍କୁ ପ୍ରଶ୍ନ କରିବା ସହ ପରିବାରକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ଝାରପୋଖରିଆ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ସାରସକଣା ତହସିଲ ଅନ୍ତର୍ଗତ କୋଟିଷୋଳ ବନବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଧଳା ପଥର ଜେସିବି ମେସିନ ଦ୍ବାରା OD11U 5959 ଓ OD01V 7749 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଦୁଇଟି ହାଇୱାରେ ଲୋଡିଂ ହେଉଥିଲା। ତେବେ ଜନୈକ ଗଣମାଧ୍ୟମ ପ୍ରତିନିଧି ଜଣକ ତାଙ୍କ କ୍ୟାମେରା ଯୋଗେ ଲୋଡିଂ ସମୟର ଭିଡିଓ କଏଦ କରିଥିଲେ । ଏହି ଘଟଣାକୁ ନେଇ ବନ ବିଭାଗ କର୍ମଚାରୀଙ୍କୁ ଫୋନ୍ ଯୋଗେ ବୁଝିବାରୁ ତାଙ୍କ ପାଖରେ ଏ ବିଷୟରେ କୌଣସି ଖବର ନଥିବା କହିଥିଲେ ସେ । ଅନ୍ୟପଟେ ମାଇନିଂ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଯେଉଁ ପଥର ସିଜ କରା ଯାଇଥିଲା ସେ ଗୁଡିକୁ ଅନ୍ୟ ଗାଡ଼ି ଯୋଗେ ବାଲେଶ୍ବରକୁ ନିଆ ଯାଇଥିବା କହିଥିଲେ । କିନ୍ତୁ ଧଳା ପଥର ଲୋଡ଼ିଂ ହେଉଥିବା ହାଇୱା ଗାଡ଼ିର ମାଲିକ ପିଜୁସ ଗୋଚ୍ଛାୟତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ୍ ମାଧ୍ୟମରେ ସିଧାସଳଖ ଧମକ ଦେବା ସହ ଗାଡିର ଫୋଟ ଉଠାଇବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ । ତାସହିତ ସପରିବାରକୁ ମାଟିରେ ମିଶାଇ ଦେବାର ଧମକ ଓ ଅସଭ୍ୟ ଭାଷା ପ୍ରୟୋଗ କରି ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗଣମାଧ୍ୟମ ପ୍ରତିନିଧି ଜଣକ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ କେସ ନଂ 52/23ରେ ମାମଲା ରୁଜୁ କରି ଥାନା ଅଧିକାରୀ ଫୋନୀନ୍ଦ୍ର ଭୂଷଣ ନାୟକ ତଦନ୍ତ ଜାରି ରଖିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ସାଧାରଣରେ କଡ଼ା ନିନ୍ଦା କରା ଯାଇଥିବା ବେଳେ ଉକ୍ତ ହାଇୱା ଗାଡ଼ି ମାଲିକଙ୍କୁ ଗିରଫ କରିବା ପାଇଁ ସାମ୍ବାଦିକ ମହଲରେ ଦାବି ହୋଇଛି ।