ରାଇରଙ୍ଗପୁର:ଆଜି ଦେଶକୁ ମିଳିବେ ପଞ୍ଚଦଶ ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ରେ ମତଦାନ ହୋଇଥିଲା ଓ ଆଜି ଫଳାଫଳ ଆସିବ । ତେବେ ସମର୍ଥନ ଓ ସଂଖ୍ୟା ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକପ୍ରକାର ନିଶ୍ଚିତ ବୋଲି ଜଣାପଡିବା ପରେ ରାଇରଙ୍ଗପୁରବାସୀ ଆଶ୍ବସ୍ତ ଅଛନ୍ତି । ଦ୍ରୌପଦୀ ନିଶ୍ଚିତ ଭାବେ ରାଷ୍ଟ୍ରପତି ହେବେ ତେଣୁ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଇଶ୍ବରଙ୍କ ନିକଟରେ ଦୀପ ଜଳାଇ ପୂଜାର୍ଚ୍ଚନା କରାଯାଇଛି ।
ଦ୍ରୌପଦୀ ମୁର୍ମୁ ୨୦୦୯ ମସିହାରୁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସହିତ ଜଡିତ ଥିଲେ । ତେବେ ବଡ଼ପୁଅ ଆରପାରିକୁ ଚାଲିଯିବା ପରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ ଦ୍ରୌପଦୀ । ବଡ଼ ପୁଅର ଦେହାନ୍ତ ପରେ ଦ୍ରୌପଦୀ ଏକ ପ୍ରକାର ଭାଙ୍ଗି ପଡିଥିଲେ ଓ ପରେ ପରମାତ୍ମାଙ୍କ ଆଦେଶରେ ଏବଂ ବ୍ରହ୍ମା କୁମାରୀଙ୍କ ସହାୟତାରେ ସେ ନିୟମିତ ରାଜଯୋଗର ଅଭ୍ୟାସ କରି ନିଜକୁ ସମ୍ଭାଳି ନେଇଥିଲେ । ପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ସେ ରାଷ୍ଟ୍ରପତି ଆସନ ପାଇଁ ଯୋଗ୍ୟ ହୋଇ ପାରିଛନ୍ତି ।