ରାଇରଙ୍ଗପୁର:ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ବାପା ରକ୍ତରେ ହୋଲି ଖେଳିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପଟକାଡ଼ିହି ଗ୍ରାମରେ । ମୃତକ ହେଉଛନ୍ତି ସେହି ଗ୍ରାମର ଗୁଡ଼ୁରା ଟୁଡୁ । ରବିବାର ବିଳମ୍ବିତ ରାତିର ଅଭିଯୁକ୍ତ ପୁଅ କୁସୁନୁ ଟୁଡୁ ନିଶାସକ୍ତ ଅବସ୍ଥାରେ ନିଜ ଜନ୍ମକଲା ବାପାକୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ପଟକାଡିହି ଗ୍ରାମର ଗୁଡ଼ୁରା ଟୁଡୁ ବିଳମ୍ବିତ ରାତିରେ ଖାଇପିଇ ଶୋଇବା ସମୟରେ ନିଜ ବଡପୁଅ ସହିତ ଯୁକ୍ତିତର୍କ ହୋଇଥିଲା । ବଡ଼ପୁଅ କୁସୁନୁ ଟୁଡୁ ରାତିରେ ନିଶାସକ୍ତ ଅବସ୍ଥାରେ ଆସି ବାପା ଗୁଡୁରାକୁ ଅଭଦ୍ର ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲା । ଏହାକୁ ପ୍ରତିବାଦ କରିବାରୁ ପୁଅ କୁସୁନୁ ରାଗରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆ ସାହାଯ୍ୟରେ ବାପାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଚିତ୍କାର ଶୁଣି ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ ଗୁଡୁରାଙ୍କ ମୃତଦେହ ତଳେ ପଡିଥିଲା । ଗାଁ ଲୋକ ଆସିବାରୁ ହତ୍ୟାକାରୀ ପୁଅ କୁସୁନୁ ଟୁଡୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।