ରାଇରଙ୍ଗପୁର: ପାରିବାରିକ କଳହ ଭାଙ୍ଗି ଦେଲା ରକ୍ତ ସମ୍ପର୍କ । ପୁଅର କୋଦାଳ ମାଡ଼ରେ ବାପାର ମୃତ୍ୟୁ । ସାମାନ୍ୟ ବଚସାରୁ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଏହାପରେ ଗିରଫ ଭୟରେ ଦୁଇଦିନ ଧରି ନିଜ ଘରେ ବାପାର ମୃତଦେହକୁ ଲୁଚାଇ ରଖିଥିଲା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଳସାଗଡ଼ିଆ ଗାଁରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ପିତୃହନ୍ତା ପୁଅକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଯଶିପୁର ଓଆଇସି ପଞ୍ଚାନନ ଦାସ ।
ସୂଚନା ଅନୁଯାୟୀ, ସୋମବାର ଦିନ ପଳସାଗଡିଆ ଗାଁର ନନ୍ଦକିଶୋର ଗୁଇୟା ଓ ତାଙ୍କ ବଡ଼ ପୁଅ ଈଶ୍ବର ଗୁଇୟା ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ଘରୋଇ କଳି ଏତେ ଉଗ୍ରରୂପ ନେଇଥିଲା ଯେ, ନିଜ ଉପରେ ନିୟନ୍ତ୍ରଣ ହରାଇ ପାଖରେ ଥିବା ଏକ କୋଦାଳରେ ବାପା ନନ୍ଦକିଶୋରଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା ପୁଅ ଈଶ୍ବର । ଫଳରେ ଘଟଣାସ୍ଥଳରେ ହିଁ ନନ୍ଦକିଶୋରଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗିରଫ ଭୟରେ ବାପାଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଠାଇ ନେଇ ନିଜ ଘରେ ଲୁଚାଇ ରଖିଦେଇଥିଲା ଅଭିଯୁକ୍ତ ପୁଅ ।