ରାଇରଙ୍ଗପୁର: କାହା ପାଖରୁ ଶୁଣିଲେ କଥାଟା ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗିବ । ନିଜେ ଆଖିରେ ନ ଦେଖିଲେ ବିଲକୁଲ ବିଶ୍ୱାସ କରି ହେବନି । ଘଟଣାଟି ହିଁ ସେହିପରି । ୬ ବର୍ଷର ବାଳକ ଆଖି ବନ୍ଦ କରି ଅକ୍ଷର ପଢି ପାରୁଛନ୍ତି, ରଙ୍ଗ ଚିହ୍ନି ପାରୁଛନ୍ତି ଓ ପାଦ ଆଙ୍ଗୁଳିରେ ଛୁଇଁ ମଧ୍ୟ ଅକ୍ଷର ସବୁ ପଢି ପାରୁଛନ୍ତି । ବିସ୍ମୟ ବାଳକ ଜଣଙ୍କ ପାଖରେ ରହିଛି ଅଦ୍ଭୁତ ପ୍ରତିଭା । ବାଳକ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆୟୁଷ ସାହୁ । ବୟସ ମାତ୍ର ୬ ବର୍ଷ ହେଲେ ତାଙ୍କ କିଛି କମ ନୁହେଁ ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅମର୍ଦ୍ଦା ଗାଁରେ ଆୟୁଷଙ୍କ ଘର । ପିଙ୍କୁ ସାହୁ ଓ ସୋନିକା ମୋଦକଙ୍କ ଏକମାତ୍ର ପୁଅ । ଆଖିରେ ପଟି ବନ୍ଧା ଯାଇଥିଲେ ମଧ୍ୟ ସାମ୍ନାରେ ଥିବା ସବୁ ପଦାର୍ଥର ନାଁ କହି ପାରୁଛନ୍ତି । ଅନର୍ଗଳ ବହି ସବୁ ପଢ଼ି ପାରୁଛନ୍ତି । କେତେ ଟଙ୍କାର ନୋଟ ଓ ନୋଟର ସିରିଏଲ ନମ୍ବର ମଧ୍ୟ କହି ପାରୁଛନ୍ତି । ପାଦ ଆଙ୍ଗୁଳିରେ ମଧ୍ୟ ଲେଖାକୁ ପଢି ପାରୁଛନ୍ତି । ବିନା ଦେଖାରେ ଅଙ୍କ ବି କଷି ପାରୁଛନ୍ତି । ରଙ୍ଗ ବି ଚିହ୍ନି ପାରୁଛନ୍ତି । ଆଖିରେ ପଟି ବାନ୍ଧି ମହମବତୀ ଜଳେଇବା ସହିତ ସାଇକେଲ ବି ଚଳାଇ ପାରୁଛନ୍ତି । ଘର ଭିତରେ ପାଣି ବୋତଲ ଗୁଡିକ ଧାଡି କରି ରଖା ହୋଇଥିଲେ ମଧ୍ୟ ନିର୍ଦ୍ୱନ୍ଦରେ ଚଳାଉଛନ୍ତି ସାଇକେଲ । କିଛି ଦିନ ପୂର୍ବେ ଆରୁଷଙ୍କ ଠାରେ ଥିବା ଏଭଳି ଏକ ଅସାଧାରଣ ପ୍ରତିଭାକୁ ଚିହ୍ନି ପାରିଥିଲେ ତାଙ୍କ ମାଆ । ଏ ଦିଗରେ ଆୟୁଷ କିପରି ଆଗକୁ ବଢିବେ ସେ ଦିଗରେ ପ୍ରୟାସ ଆରମ୍ଭ କରି ଦେଇଥିଲେ । ପ୍ରତିଦିନ ଆଖିରେ ପଟି ବାନ୍ଧି କିଛି ନା କିଛି କାର୍ଯ୍ୟ ଆଭ୍ୟାସ କରନ୍ତି । ଏ ନେଇ ପରିବାର ଲୋକେ ଗର୍ବ କରୁଥିବା ବେଳେ ସାହି ପଡିଶା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।