ରାଇରଙ୍ଗପୁର: ପୁଣି ଲାଗିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଶିକାର ଏବଂ ନିଆଁ ଲଗାଇବା ଅଭିଯୋଗରେ ୫ ଗିରଫ । ଗତ ଦୁଇ ତିନି ଦିନ ହେବ ମୟୂରଭଞ୍ଜ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟ ଜଳୁଛି । କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଫଳରେ ବିପଦରେ ପଡିଛନ୍ତି ଶିମିଳିପାଳର ଜୀବଜନ୍ତୁ ।
ବର୍ତ୍ତମାନ ଶିମିଳିପାଳ ପାଦ ଦେଶରେ ଥିବା ବିଭିନ୍ନ ଛୋଟବଡ଼ ଜଙ୍ଗଲ ସହ ଶିମିଳିପାଳର ଚହଲା ଏବଂ ତାଳବନ୍ଧ ରେଞ୍ଜ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆରୁ ସୂଚନା ମିଳିଛି । ତେବେ ଶିମିଳିପାଳର ନଅଣା ରେଞ୍ଜ ଅଞ୍ଚଳରୁ ୫ ଜଣଙ୍କୁ ଶିକାର ଏବଂ ନିଆଁ ଲଗାଇବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସେପଟେ ଶିମିଳିପାଳ ସହିତ ଶିମିଳିପାଳ ପାଦ ଦେଶରେ ଥିବା ବିଭିନ୍ନ ପାହାଡ଼ପର୍ବତରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି ।
ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷ ନଷ୍ଟ ହେବା ସହିତ ବହୁ କୀଟପତଙ୍ଗ ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଉଛନ୍ତି । ନିଆଁ ଲିଭାଇବା ପାଇଁ ବନ ବିଭାଗ ପ୍ରୟାସ ଆରମ୍ଭ କରିଥିଲେ ବି ଆୟତ୍ତ କରି ପାରିନାହିଁ । ଶିମିଳିପାଳ ପାଦ ଦେଶରେ ଥିବା ବସ୍ତି ବାସିନ୍ଦା ଲୋକେ ମହୁଲ ଫୁଲ ଗୋଟାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା କହିଛି ବନବିଭାଗ । ତେବେ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା କରିବେ ସେନେଇ ଶିମିଳିପାଳ ପାଦ ଦେଶରେ ଥିବା ଗ୍ରାମବାସୀମାନଙ୍କୁ ବିଭିନ୍ନ ସମୟରେ ବନ ଭିବାଗ ସଚେତନ କରାଇଥିଲେ ।
ସୂଚନା ଥାଉକି ଗତବର୍ଷ ଗ୍ରୀଷ୍ମ ଋତୁରେ ମଧ୍ୟ କେହି ଦୁର୍ବୃତ୍ତ ଶିମିଳିପାଳରେ ନିଆଁ ଲଗାଇ ଦେଇଥିଲା । ଫଳରେ ଦୀର୍ଘଦିନ ଧରି ଜଳିଥିଲା ଜଙ୍ଗଲ । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ବାରମ୍ବାର ଏପରି ହେବା ସତ୍ତ୍ବେ ବନ ବିଭାଗ କିପରି ତତ୍ପର ରହୁନାହିଁ । ନିଆଁ ଲାଗିବା ପୂର୍ବରୁ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଫଳ କ'ଣ ପାଇଁ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ