ରାଇରଙ୍ଗପୁର: ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ । ଶିକାରୀଙ୍କ କବଜାରେ ସମ୍ପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରହିଥିବା ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିର ଏହି ଗୁଳିକାଣ୍ଡ ଘଟଣାରୁ ସ୍ପଷ୍ଟ ବାରି ହେଉଛି । ଶିକାରୀ ଗୁଳିରେ ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜରଙ୍କ ମୃତ୍ୟୁ ଘଟଣା ପୁଣି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଅନ୍ୟପଟେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣା ଉପରେ ଦୃଷ୍ଟି ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶବିତଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହୋଇଛି । ଶିକାରୀ ଓ ସଂଗଠିତ ଶିକାର ରାକେଟକୁ ରୋକିବା ପାଇଁ ସବୁ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବନ୍ୟପ୍ରାଣୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଥାୟ ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ ମୃତ୍ୟୁ ନୈରାଶଜନକ । ପ୍ରାୟ ଏକ ମାସ ପୂର୍ବରୁ ଏହି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାର ଅଭୟାରଣ୍ୟରେ କେବଳ ବନ୍ୟ ଜୀବଜନ୍ତୁ ନୁହେଁ, ସେମାନଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି ।"
ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜର ମାଥାୟ ହାଁସଦାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜନମାଟି ଯାମଦା ବ୍ଲକ ଅନ୍ତର୍ଗତ ଟିଙ୍ଗିରିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମୃତ ମାଥାୟଙ୍କ ବାପା ରାଉରକେଲାରେ ଥିବାବେଳେ ପୂର୍ବରୁ ମାଆ ଆରପାରିକୁ ଚାଲି ଯାଇଛନ୍ତି । ଟିଙ୍ଗିରିଆ ଗ୍ରାମରେ ମୃତକଙ୍କ ଭଉଣୀ, ଭାଇ ଓ କାକା ରୁହନ୍ତି । ମୁଥାୟ ଅବିବାହିତ ଥିବାବେଳେ ପରିବାର ଲୋକେ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହି ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ମୃତ ଶରୀରକୁ ଜନ୍ମ ମାଟି ଟିଙ୍ଗିରିଆ ଗାଁକୁ ଆଣାଯାଇ ସେଠାରେ ଆଦିବାସୀ ରୀତିନୀତିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।