ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ । କୋରୋନା କଟକଣା ମାନି ଅଭୟାରଣ୍ୟକୁ ପ୍ରବେଶ କରିବେ ପର୍ଯ୍ୟଟକ । ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ଯ୍ୟଟକ ବୁଲିବେ ଶିମିଳିପାଳ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ ପାଇଁ ବାରିପଦା ପିଠାବଟା ଗେଟ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ ଦେଇ ୩୫ଟି ଚାରିଚକିଆ ଯାନକୁ ଅନୁମତି ଦିଆଯାଇଛି । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ । ଚଳିତ ବର୍ଷ କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ବୁଲିପାରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ କର୍ତ୍ତୃପକ୍ଷ ଗାଇଡ଼ ଲାଇନ ଜାରି କରିଛନ୍ତି ।
ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବାକୁ ବାରଣ କରାଯାଇଛନ୍ତି । ଏଥିସହ ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ ମଧ୍ୟ କରିପାରିବେ।