ଓଡିଶା

odisha

ETV Bharat / state

ନଭେମ୍ବର 1ରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ - ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ

ଶୁକ୍ରବାର ଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ହେବ ଶିମିଳିପାଳ ଜାତୀୟ ଉଦ୍ୟାନ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Oct 31, 2019, 7:51 PM IST

ରାଇରଙ୍ଗପୁର: ନଭେମ୍ବର 1ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ ଶିମିଳିପାଳ ଜାତୀୟ ଉଦ୍ୟାନ । ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନେତୃତ୍ବରେ ରାସ୍ତା ଘାଟ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ପାଇଁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ସେହିପରି ପ୍ରତ୍ୟେକ ଦିନ ବାରିପଦା ପଟୁ ୨୫ଟି ଏବଂ ଯଶୀପୁର ପଟୁ ୩୫ ଟି ଗାଡି ପ୍ରବେଶ କରିବାର ବ୍ୟବସ୍ଥା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନର ବିଭିନ୍ନ ସ୍ଥାନରେ ଇକୋଟୁରିଜିମର ବ୍ୟବସ୍ଥା କରାଯାଇଛି । ସେହିପରି ଗୁରୁଗୁଡ଼ିଆ ଠାରେ ପ୍ରକୃତିକୁ ଉପଭୋଗ କରିବା ପାଇଁ କରାଯାଉଥିବା ହାତୀ ପିଠି ସବାରରୁ ଚଳିତ ବର୍ଷ ପର୍ଯ୍ୟଟକମାନେ ବଞ୍ଚିତ ହେବେ। ହାତୀମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା କାରଣରୁ ଏହି ପରିସ୍ଥିତି ଉପୁଜିଛି । ସେହିପରି ଜାତୀୟ ଉଦ୍ୟାନ ମଧ୍ୟରେ ଭ୍ରମଣ ସମୟରେ ପର୍ଯ୍ୟଟକଙ୍କ ସହିତ ତାଲିମ ପ୍ରାପ୍ତ ଗାଇଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ଜଙ୍ଗଲ ମଧ୍ୟରେ ସମ୍ପୂର୍ଣ୍ଣ ପଲିଥିନ ନିଷିଦ୍ଧ କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ରନ୍ଧାଖାଦ୍ୟ ଓ ବିଭିନ୍ନ ଜଙ୍ଗଲଜାତ ଫଳମୂଳ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।


ଶିମିଳିପାଳ ଜାତୀୟ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ସହ ଭିନ୍ନ ଭିନ୍ନ ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ । ଅର୍ଚ୍ଚଡିୟମ ବଗିଚା ମଧ୍ୟ ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କୁ ଦେଖିବା ପାଇଁ ୱାଚ ଟାୱାର ବ୍ୟବସ୍ଥା ରହିଥିବା ବେଳେ ଜଳପ୍ରପାତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶୀ ଆକୃଷ୍ଟ କରିଥାଏ ।

ସେହିପରି ସୁରକ୍ଷା ପାଇଁ ୨୦୧୩ ମସିହାରୁ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ମାନେ ଏହି ଜାତୀୟ ଉଦ୍ୟାନର ମନୋରମ ଦୃଶ ଉପଭୋଗ କରିବା ପାଇଁ ଏଠାକୁ ଛୁଟିଥାନ୍ତି । ଗତବର୍ଷ ଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ଉଦ୍ୟାନର ନିଜସ୍ବ ୱେବସାଇଟ ଖୋଲାଯାଇଛି । ଏହା ଦ୍ଵାରା ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ ବୁକିଂ କରି ଶିମିଳିପାଳ ଜାତୀୟ ଉଦ୍ୟାନ ବୁଲିବାର ମଜା ନେଇପାରିବେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details