ବାରିପଦା: ପ୍ରାୟ 10 ଦିନ ହେଲା ଅହରାତ୍ର ଜଳୁଛି ସବୁଜବନାନୀ ଶିମିଳିପାଳ ଅଭୟାରଣ୍ୟ । ଏସିଆର ଦ୍ବିତୀୟ ସର୍ବବୃହତ ଜୈବ ମଣ୍ଡଳ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଲାଗିଥିବା ନିଆଁ ଲିଭୁନି । ହେଲେ ନା ରାଜ୍ୟ ସରକାର ତତ୍ପର ନା ଜଙ୍ଗଲ ବିଭାଗ । ଫଳରେ ହୁତୁହୁତୁ ହୋଇ ଜଳିଚାଲିଛି ଶିମିଳିପାଳ । 10 ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ ଜମିରେ ଲାଗିଛି ନିଆଁ । ହଜାରରୁ ଉର୍ଦ୍ଧ୍ବ ପ୍ରଜାତିର ଔଷଧୀୟ ଗଛଲତାରେ ପରିପୂର୍ଣ୍ଣ ଶିମିଳିପାଳ ଏବେ ହାହାକାର ପରିସ୍ଥିତିରେ । ବିଶ୍ବର ବିରଳ କଳା ବାଘକୁ ଶିମିଳିପାଳ ତା କୋଳରେ ସାଇତି ରଖିଥିଲା କିନ୍ତୁ ବର୍ତ୍ତମାନ ଲାଗୁଛି ଏ ନିଆଁ ରୂପି ରାକ୍ଷାସ ଜଙ୍ଗଲର ଶେଷ ବାଘକୁ ବି ଜୀବିତ ରହିବାକୁ ଦେବନି, ଯାହାକୁ ନେଇ ମୟୂରଭଞ୍ଚ ରାଜକୁମାରୀ ଉଦବେଗ ପ୍ରକାଶ କରିଛନ୍ତି ।
ଶିମିଳିପାଳ ଜଳୁଥିବା ବେଳେ ରାଜ୍ୟ ସରକାରଙ୍କ ନାହିଁ ନିଘା । ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ବି ସଫଳ ହୋଇନି । କିଛି ଦିନ ତଳେ ନୟାଗଡ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବର୍ତ୍ତମାନ ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲାରେ ଥିବା 4 ଟି ବନଖଣ୍ଡ ବାରିପଦା, ଉଦଳା, ରାଇରଙ୍ଗପୁର , କରଞ୍ଜିଆ ଏବଂ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପର ମୋଟ ୨୧ ଟି ରେଞ୍ଜରୁ ୮ ଟି ରେଞ୍ଜରେ ୨୦ ଟି ବିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗର ୮୦୦ ବନ କର୍ମଚାରୀ, ୨୫୦ ନିଆଁ ଲିଭା ସ୍ବେଚ୍ଛାସେବୀ , ୨୪୦ ଟି ନିଆଁ ଲିଭା ଯନ୍ତ୍ର ସହ ୪୦ ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି । ଅନ୍ୟପକ୍ଷେ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ହସ୍ତକ୍ଷେପ କରିଛନ୍ତି । ସେହିପରି ରାଜ୍ୟ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ଦ୍ଦେଶରେ PCCF ୱାଇଲ୍ଡଲାଇଫର ଏକ ସ୍ବତନ୍ତ୍ର ଟିମ୍ ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ବିଷୟରେ ଯାଞ୍ଚ୍ କରିବେ ।