ଓଡିଶା

odisha

ETV Bharat / state

ଜୁନ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଖୋଲା ରହିବ ୪ଟି ଇକୋ ଟୁରିଜିମ - ବ୍ୟାଘ୍ର ସଂରକ୍ଷଣ

ଆସନ୍ତା ଶୁକ୍ରବାର ୧୬ ତାରିଖ ଠାରୁ ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଅଧିକ ପଢନ୍ତୁ

shimilipal sanctuary  closed
shimilipal sanctuary closed

By

Published : Jun 14, 2023, 1:51 PM IST

Updated : Jun 14, 2023, 2:05 PM IST

shimilipal sanctuary closed for tourists

ରାଇରଙ୍ଗପୁର:ଆସନ୍ତା ୧୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତ୍ୟେକ ବର୍ଷ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଗକୁ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି । ବର୍ଷା ଋତୁ ପରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ରାସ୍ତା ଗୁଡ଼ିକର ମରାମତି କାର୍ଯ୍ୟ କରାଯାଇଥାଏ । ସେହିପରି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଗଲେ ମଧ୍ୟ ଅଭୟାରଣ୍ୟ ମଧ୍ୟରେ ଥିବା ଗୁଡୁଗୁଡ଼ିଆ, କୁମାରୀ, ରାମତୀର୍ଥ ଓ ଜାମୁଆଣି ଏହି ଚାରୋଟି ଇକୋ ଟୁରିଜିମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । ସେଠାରେ ପର୍ଯ୍ୟଟକମାନଙ୍କ ରହିବାର ସୁବିଧା ସହିତ ସେଠାକାର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ ।

ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ ଅନ୍ତର୍ଗତ କାଳିଆଣି ଫାଟକ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବର୍ଷା ଋତୁ ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନ ଘଟୁ ସେନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେଣୁ ଚଳିତ ଜୁନ ମାସ ୧୬ ତାରିଖରୁ ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନି ଏକ ବିଜ୍ଞପ୍ତି ଜାରି କରିବା ସହିତ ସୂଚନା ମଧ୍ୟ ଦେଇଛନ୍ତି ।

ପ୍ରକାଶ ଥାଉକି, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳ କଳ ନାଦ କରି ବହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଟନ୍ତି ।

ସମୁଦ୍ର ପତ୍ତନ ଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ୯୦୦ ମି. ହୋଇଥିବା ବେଳେ ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ । ଯଥା ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jun 14, 2023, 2:05 PM IST

ABOUT THE AUTHOR

...view details