land for goshala in rairangpur ରାଇରଙ୍ଗପୁର:କଥା ଦେଇ କଥା ରଖିଲେ ସରକାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାର ୧୦ ନଂ ୱାର୍ଡ଼ ଅଁଳାଡୁବାରେ ଥିବା ଗୋଶାଳା କମିଟିକୁ ଦେଲେ ପାଞ୍ଚ ଏକର ଜାଗା । ତେବେ ଏହି ଖବର ପରେ ଖୁସି ହୋଇ କମିଟିର ସଦସ୍ୟ ମିଠା ବାଣ୍ଟିବା ସହ ସହର ପରିକ୍ରମା କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଚଳିତ ମାସ ଦୁଇ ତାରିଖ ଦିନ ଓଡ଼ିଶା ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଆସିଥିଲେ । ସେହି ଅବସରରେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ଗୋଶାଳା ମଧ୍ୟ ପରିଦର୍ଶନ କରିଥିଲେ ୫ ଟି ସଚିବ । ସେହି ସମୟରେ ଗୋଶାଳା କମିଟିର ସଦସ୍ୟଙ୍କ ସହିତ ମହିଳା, ପୁରୁଷ ଓ ଗୋମାତାପ୍ରେମୀ ଦୀର୍ଘ ୭୦ ବର୍ଷ ହେବ ଗୋଶାଳା କମିଟିକୁ ଜମି ପ୍ରଦାନ ହୋଇ ନଥିବା ନେଇ ୫ଟି ସଚିବଙ୍କୁ ଏକ ଦାବିପତ୍ର ଦେଇଥିଲେ । ତେବେ କମିଟି ସଦସ୍ୟକୁ ଦାବିକୁ ଗୁରୁତ୍ବର ସହ ନେଇ ଆଗାମୀ ୭ ଦିନ ମଧ୍ୟରେ ଜମି ପ୍ରଦାନ କରାଯିବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।
ତେବେ ଗତକାଲି(ଗୁରୁବାର) ସନ୍ଧ୍ୟା ସମୟରେ ରାଜ୍ୟ କ୍ୟାବିନେଟରେ ଉକ୍ତ ଜମି ହସ୍ତାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଥିଲେ । ଉକ୍ତ ଖବର ପ୍ରଚାରିତ ହେବା କ୍ଷଣି ଗୋଶାଳା କମିଟିର ସଦସ୍ୟ, ଗୋ-ପ୍ରେମୀ, ବିଜୁ ଜନତା ଦଳର ନେତା ଓ କର୍ମୀ ମିଠା ବାଣ୍ଟି, ଅବିର ଲଗାଇ ନାଚ ଗୀତ କରି ବାଣ ଫୁଟେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପରେ ଅଁଳାଡୁବା ଗୋଶାଳାରୁ ଏକ ସ୍ବତନ୍ତ୍ର ବାଇକ ଶୋଭାଯାତ୍ରା ଯୋଗେ ଉତ୍ସବମୁଖର ହୋଇ ସହର ପରିକ୍ରମା କରାଯାଇଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ, ୧୯୫୪ ମସିହାରେ ଅଁଳାଡୁବା ଠାରେ ରାଇରଙ୍ଗପୁର ମାରୱାଡି ସଂଘ ତରଫରୁ କିଛି ଗୋ ମାତାଙ୍କୁ ନେଇ ଏକ ଗୋଶାଳା ଅନୁଷ୍ଠିତ ହୋଇଥିଲା । ବହୁ ବାଧା ବିଘ୍ନ ସହି ବର୍ତ୍ତମାନ ଉକ୍ତ ଗୋଶାଳାରେ ୩୦୦ ରୁ ଉର୍ଦ୍ଧ୍ବ ଗୋମାତା ରହିଥିବା ବେଳେ ୨୪ରୁ ଉର୍ଦ୍ଧ୍ବ ଗୋ ସେବକ ରହି ଗୋ ମାତାଙ୍କ ସେବା କରି ଆସୁଛନ୍ତି । ଗୋଶାଳା ଗଢି ଉଠିଥିବା ଜାଗାଟି ଉକ୍ତ ଅଁଳାଡୁବା ମୌଜାର ଗୋଚର କିସମ ହୋଇ ଥିବାରୁ ଗୋଶାଳାକୁ ହସ୍ତାନ୍ତର କରିବା ସମ୍ଭବପର ହୋଇ ପାରୁନଥିଲା । ଏନେଇ କୋର୍ଟ କଚେରୀ ସହିତ ବିଭିନ୍ନ ରାଜନୈତିକ ଦଳ ହସ୍ତକ୍ଷେପ କରିଥିଲେ ମଧ୍ୟ ଜମି ହସ୍ତାନ୍ତର ନେଇ ବିଫଳ ହୋଇଥିଲେ । ଯାହା ଫଳରେ ଶହ ଶହ ଗୋମାତା ରହୁଥିବା ଆଶ୍ରୟସ୍ଥଳୀ ସହିତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁନଥିଲା । ଏନେଇ ଗୋ-ସେବକ ସହ ଗୋ-ପ୍ରେମୀ ସମସ୍ତେ ଚିନ୍ତିତ ଥିଲେ । ତେବେ ରାଜ୍ୟ ସରକାର ସମସ୍ୟାର ସମାଧାନ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର