ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀଙ୍କ ଈଶ୍ବର ମାରାଂ ବୁରୁ ଜାହେରା ଥାନ ବା ପୂଜାସ୍ଥଳକୁ ଜୈନ ସମାଜଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଝାଡ଼ଖଣ୍ଡ ସରକାର । ଏହା ଝାରଖଣ୍ଡ ସରକାରଙ୍କ ଚକ୍ରାନ୍ତ ଅଭିଯୋଗ କରି ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବିରୋଧ କରାଯାଇଛି । ଆଦିବାସୀମାନଙ୍କ ଜହେରା ପୂଜାର୍ଚ୍ଚନାସ୍ଥଳୀର ଖୁବ ମହତ୍ତ୍ୱ ରହିଛି । ଝାରଖଣ୍ଡ ସରକାର ୫ ଜାନୁଆରୀରେ ଭାରତ ସରକାରଙ୍କୁ ପତ୍ର ଲେଖି ଉକ୍ତ ଜହେରା ସ୍ଥଳକୁ ଜୈନ ସମାଜଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ । ଏହା ଆଦିବାସୀମାନଙ୍କର ଧାର୍ମିକ ଭାବନା ଆଘାତ ଓ ତାଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଲୋକେ ।
ତେଣୁକରି ଜାହେରା ସ୍ଥଳ ଖାଲି କରିବା, ଅଷ୍ଟମ ଅନୁସୂଚିରେ ସାମିଲ ସାନ୍ତାଳୀ ଆଦିବାସୀ ଭାଷାକୁ ସମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ଓ ସାନ୍ତାଳୀ ଭାଷାକୁ ଝାରଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ପ୍ରଦାନ, ସାରନା ଧର୍ମ କୋଡ଼ ଲାଗୁ କରିବା, ଆସାମ ଓ ଆଣ୍ଡାମାନର ଆଦିବାସୀଙ୍କୁ ଅବିଳମ୍ବେ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି । ଏନେଇ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଆସି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।