ରାଇରଙ୍ଗପୁର: ସାନ୍ତାଳୀ ସମ୍ପ୍ରଦାୟର ପାରମ୍ପରିକ ଚିତ୍ରରେ ଝଲସିଲା ରାଷ୍ଟ୍ରପତିଙ୍କ ଜନ୍ମମାଟି । ଆଦିବାସୀ ସାନ୍ତାଳୀ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଓ କର୍ମ ଭୂମି ପାହାଡ଼ପୁର ଗ୍ରାମର କାନ୍ଥରେ ପ୍ରଥମ ସାନ୍ତାଳୀ ଚିତ୍ର କଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୦ଜଣ ସାନ୍ତାଳୀ ମହିଳା ଚିତ୍ରକର ଯୋଗ ଦେଇ କାନ୍ଥ ବାଡ଼ରେ ପାରମ୍ପରିକ ସାନ୍ତାଳୀ ଚିତ୍ର ଆଙ୍କିଛନ୍ତି । ମୟୂରଭଞ୍ଜ ରାଜବଂଶ ସଦସ୍ୟା ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳାର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ନୋସୀର ସମ୍ପାଦକ ହରିଶ ପଟେଲ, ଉପରବେଡା ସରପଞ୍ଚ ଯମୁନା ହେମ୍ବ୍ରମଙ୍କ ବ୍ୟତୀତ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମର ପଡିଆ ଠାରେ ପାରମ୍ପରିକ ସାନ୍ତାଳୀ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା ।