ରାଇରଙ୍ଗପୁର: ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏଠାରେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ସେଥିମଧ୍ୟରୁ ଗହ୍ମା ପର୍ବ ହେଉଛି ସାନ୍ତାଳୀ ସାମ୍ପ୍ରଦାୟର ଅନ୍ୟତମ ପର୍ବ । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମାଧାମରେ ଗହ୍ମା ପର୍ବ ପାଳନ କରିଛନ୍ତି । କୁସୁମୀ ବ୍ଲକ ଅନ୍ତର୍ଗତ ଜାନୁମଘୁଟୁ ଗ୍ରାମରେ ଏହି ପର୍ବ ପାଳନ କରାଯାଇଛି । ସାନ୍ତାଳୀ ରୀତିନୀତି ଅନୁଯାୟୀ ଗାଁ ଆଖଡ଼ାରେ ପୂଜାର୍ଚ୍ଚନା ପରେ ଢୋଲ ମାଦଳର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳୀ ପରିବାର । ସାନ୍ତାଳୀଙ୍କ ମତରେ ଏହି ପର୍ବ ହାରିଆଳ ପୂଜା ନାମରେ ମଧ୍ୟ ପ୍ରସିଦ୍ଧ ।
ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ଗହ୍ମା ପର୍ବ ପାଳିତ ହୁଏ । ସାନ୍ତାଳୀ ସମ୍ପ୍ରଦାୟର ଏହି ପର୍ବ ଟିକେ ନିଆରା । ପ୍ରକୃତି ପୂଜକ ସାନ୍ତାଳୀମାନେ ମୂର୍ତ୍ତି ପୂଜା କରୁନଥିବା ବେଳେ ଜାହିରା ଓ ଆଖଡ଼ାରେ ପୂଜାର୍ଚ୍ଚନା କରିଥାନ୍ତି । ଗହ୍ମା ପର୍ବରେ ଗାଁ ଆଖଡ଼ାରେ ହିଁ ପୂଜା ହୋଇଥାଏ । ପରମ୍ପରା ଅନୁସାରେ, ଦୁଇ ଅବିବାହିତ ଯୁବକ କରମ ଗଛରୁ କରମ ଡ଼ାଳ ଶୋଭାଯାତ୍ରାରେ ଆଣି ଆଖଡ଼ାରେ ସ୍ଥାପନ କରିଥାନ୍ତି । ଦୁଇଦିନ ଧରି ଏହି ପୂଜା ହୋଇଥାଏ । ବିଶ୍ୱାସ ରହିଛି, ଏହି ପୂଜା କଲେ ଭଲ ଧାନ ଫସଲ ଅମଳ ହୋଇଥାଏ । ଫସଲରେ ପୋକ ଜୋକ ଓ ରୋଗବାଗ ନହେବା ପାଇଁ ହିଁ ଗ୍ରାମ ଆଖଡ଼ାରେ କରମ ପୂଜା କରାଯାଇଥାଏ ।