ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ମିଶନ ସୌରାୟନର ଶୁଭାରମ୍ଭ ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ମିଶନ ସୌରାୟନର ଶୁଭାରମ୍ଭ ହୋଇଛି । ରାଇରଙ୍ଗପୁରରେ ଦିନକୁ ଦିନ ବିଦ୍ୟୁତ ସଂକଟ ବୃଦ୍ଧି ପାଉଥିବା ସହିତ ତାପଜ ବିଦ୍ୟୁତ ଯୋଗୁଁ ପର୍ଯ୍ୟାବରଣ ନଷ୍ଟ ଓ ପ୍ରଦୂଷିତ ହେଉଛି । ତେଣୁ ଏହାର ଏକମାତ୍ର ବିକଳ୍ପ ହେଉଛି ସୌର ଶକ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ୍ ସୌରାୟନ ପ୍ରତି ଗୁରୁତ୍ବ ଦେଉଛନ୍ତି । ଯାହାଦ୍ବାରା କମ ଖର୍ଚ୍ଚରେ ସୌର ଶକ୍ତି ପାଇବା ଓ ପର୍ଯ୍ୟାବରଣ ପ୍ରତି ବିପଦ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନକୁ ସାକାର କରିବା ପାଇଁ ଟିପିଏନଓଡିଏଲ ତା'ର ପ୍ରଥମ ପଦକ୍ଷେପ ନେଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରାମ ପାହାଡପୁର ଗ୍ରାମ ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଏହାର ଶୁଭାରମ୍ଭ କରିଛି ।
ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଟିପିଏନଓଡିଏଲ ପକ୍ଷରୁ ବିଦ୍ୟାଳୟକୁ ୬ ୱାଟ୍ ବିଶିଷ୍ଟ ସୌରୀକରଣ ସହିତ ମିଶନ ସୌରାୟନର ଶୁଭ ଉଦ୍ଘାଟନ ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନଙ୍କୁ ଆଦିବାସୀ ପାରମ୍ପରିକ ଢୋଲ, ମାଦଲ ଓ ନୃତ୍ୟ ରେ ଗ୍ରାମବାସୀ ପାଛୋଟି ନେଇଥିଲେ । ପରେ ଅତିଥି ଗଣ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଓ ଦୁଇ ପୁତ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମିଶନ ସୌରୀକରଣ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାସ୍କର ସରକାର ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନ ଉପରେ ଆଲୋକପାତ କରିଥିଲେ । ଏହି ସୌରାୟନ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ କାର୍ଯ୍ୟାଳୟ, ରାସ୍ତା ଏବଂ ଘର ଗୁଡ଼ିକୁ ସୌରୀକରଣ କରାଯିବା ନେଇ ଯୋଜନା ରହିଥିବା କହିଥିଲେ ସିଇଓ ଭାସ୍କର ସରକାର । ସୋଲାର ପେନାଲ ବ୍ୟବହାର ଦ୍ଵାରା ସମସ୍ତେ ଲାଭବାନ ହୋଇ ପାରିବେ ଯାହାଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନ ଉଦ୍ଦେଶ୍ୟ ପୁରଣ ହୋଇପାରିବ ବୋଲି ଅତିଥିଗଣ କହିଥିଲେ ।
ପରେ ଉକ୍ତ ସ୍କୁଲରେ ଆୟୋଜିତ ଶକ୍ତି ସମ୍ବଳ କୁଇଜ୍ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଟିପିଏନଓଡିଏଲ ତରଫରୁ କିଛି ଏଲଇଡି ବଲବ ସରପଞ୍ଚଙ୍କୁ ପଞ୍ଚାୟତରେ ବଣ୍ଟନ କରିବା ପାଇଁ ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ପାହାଡପୁର ଆବାସିକ ବିଦ୍ୟାଳୟ ସୌରୀକରଣ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ ଅତିଥି ଗଣ । ଏହି ଯୋଜନା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କର୍ମଭୂମିରୁ ଶୁଭାରମ୍ଭ କରାଯାଇ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି । ମୁଖ୍ୟ ଅତିଥି ଭାବେ TPNODLର ସିଇଓ ଭାସ୍କର ସରକାର ଯୋଗ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଚିଫ କମର୍ସିଆଲ ଅଫିସର ଦୁଷ୍ମନ୍ତ ତ୍ୟାଗୀ, ସୌରୀକରଣ ଜେନେରାଲ ମେନେଜର ରାଜୀବ ନାୟକ ପ୍ରମୁଖ ଯୋଗ ଦେଇ ସୌରାୟନ ଯୋଜନାର ଶୁଭ ଉଦ୍ଘାଟନ କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର