ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବିଧାୟିକାଙ୍କୁ ରାସ୍ତାରେ ଚଲାଇ ଚଲାଇ ଆଣିଲେ ଗ୍ରାମବାସୀ । ଏପରି ଏକ ଘଟଣା ମୟୂରଭଞ୍ଜରେ ଦେଖିବାକୁ ମିଳିଛି । ଦୀର୍ଘ ଏକ ମାସ ହେବ ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇପଡିଥିଲେ ସ୍ଥାନୀୟ ଲୋକେ । ଫଳରେ ଉତ୍ୟକ୍ତ ହୋଇ ଆଜି(ଶୁକ୍ରବାର) ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଏହି ସମୟରେ ରାସ୍ତାଦେଇ ଯାଉ ଥିବାବେଳେ ବିଧାୟିକାଙ୍କୁ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଚାଷଜମି ଦେଖାଇଛନ୍ତି ଲୋକେ ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଅଧିନସ୍ଥ ତାଟୋ, କୁଞ୍ଜିଆ, ବିଉଁରିଆ, ନାକୁଡ଼ା ମତା ପ୍ରଭୁତି ଗ୍ରାମଗୁଡିକରେ ମାସେ ହେବ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଠାରୁ ଆରମ୍ଭ କରି କଦଳୀ ବଗିଚା ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିସାରିଲେଣି ହାତୀପଲ । ଯାହାକୁ ନେଇ ଆଜି ଦିନ ୧୦.୩୦ ସମୟରେ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ ।