ବାରିପଦା:ରିଆଡମିଶନ ଫିସ୍ ହ୍ରାସ ଦାବିରେ ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ତକତପୁର ଛକ ନିକଟରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ବାରିପଦା ତକତପୁରସ୍ଥିତ MPC ସ୍ବୟଂଶାସିତ କଲେଜ ଛାତ୍ରଛାତ୍ରୀ ଏଭଳି ଏକ ଦାବି ନେଇ ରାଜରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତାରୋକ୍ରେ ସାମିଲ ହୋଇଥିଲେ । ଫଳରେ ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ତକତପୁର ଛକରେ କିଛି ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
MPC କଲେଜର ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ସେମାନଙ୍କ ରିଆଡମିଶନ ଫିସ୍କୁ ୬୦ ପ୍ରତିଶତ ହ୍ରାସ କରିବା ପାଇଁ ଦାବି କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଅଭିଭାବକ କଲେଜ ଫିସ୍ ଦେବାକୁ ସକ୍ଷମ ନଥିବା ବେଳେ କଲେଜ କର୍ତ୍ତୃପକ୍ଷ ଫିସ୍ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଗତ ୩ଦିନ ଧରି ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।